କରୋନାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା । ଏହି ମହାମାରୀ ବ୍ୟାପିବାର ପ୍ରମୂଖ ମାଧ୍ୟମ ହେଉଛି ଏରୋସଲ ଏବଂ ଡ୍ରପଲେଟ୍ । ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସରକାରଙ୍କ ପ୍ରିନ୍ସପାଲ ସାଇଣ୍ଟିଫିକ ଏଡଭାଇଜରଙ୍କ କାର୍ଯ୍ୟାଳୟ। ଏହାର ସୂଚନା ଅନୁସାରେ, ସଙ୍କ୍ରମିତ ବ୍ୟକ୍ତିର ପାଟିର ଲାଳ ଓ ନାଜାଲ ଡିସଚାର୍ଜ ଜରିଆରେ ଭୂତାଣୁ ବ୍ୟାପେ । ଡ୍ରପଲେଟ ଓ ଏରୋସଲ ଭାବେ ଲାଳ ଓ ନାଜାଲ ଡିସଚାର୍ଜ ବାହାରେ । ଏହା ଜରିଆରେ ଜଣେ ବ୍ୟକ୍ତି ଠାରୁ ଆଉ ଜଣେ ବ୍ୟକ୍ତିକୁ ବ୍ୟାପିଥାଏ କରୋନା ଭୂତାଣୁ । ବଡ ବଡ ଡ୍ରପଲେଟ୍ ତଳେ ପଡିଯାଏ ବା କୌଣସି ବସ୍ତୁରେ ଲାଖି ରହେ । ଅପେକ୍ଷାକୃତ ଛୋଟ ଛୋଟ ଏରୋସଲ ପବନରେ ଅଧିକ ଦୂର ଯାଇଥାଏ । ଏପରିକି ଏହା ୧୦ ମିଟର ଦୂର ପର୍ଯ୍ୟନ୍ତ ପବନରେ ଯାଇପାରେ । ଭେଣ୍ଟଲେସିନ ସୁବିଧା ନଥିବା କୋଠରିରେ ଡ୍ରପଲେଟ୍ ଓ ଏରୋସଲ ଶୀଘ୍ର ଜମା ହୋଇଥାଏ । ଏବଂ ଅଧିକ ଲୋକଙ୍କୁ ସଙ୍କ୍ରମିତ କରିବାର ଆଶଙ୍କା ରହିଥାଏ । ଖୋଲା ସ୍ଥାନରେ ସଙ୍କ୍ରମଣ ସଂଖ୍ୟା କମ ବୋଲି କହିଛି କେନ୍ଦ୍ର ସରକାରଙ୍କ ପ୍ରିନ୍ସପାଲ ସାଇଣ୍ଟିଫିକ ଏଡଭାଇଜରଙ୍କ କାର୍ଯ୍ୟାଳୟ । ଳକ୍ଷଣ ନଥିବା ଆକ୍ରାନ୍ତଙ୍କ ମଧ୍ୟରେ ଏତେ ଭାଇରାଲ ଲୋଡ ଥାଏ ଯେ, ତାହା ଅନେକ ଲୋକଙ୍କୁ ସଙ୍କ୍ରମିତ କରିପାରିବ । ଜଣେ ବ୍ୟକ୍ତି ସଙ୍କ୍ରମିତ ହେବାର ୨ ସପ୍ତାହ ଯାଏ ଲକ୍ଷଣ ପ୍ରକାଶ ପାଇନଥାଏ । ଏହି ସମୟରେ ସେ ବହୁ ଲୋକଙ୍କୁ ସଙ୍କ୍ରମିତ କରିବାର ଆଶଙ୍କା ଅଛି । ଜଣେ ବ୍ୟକ୍ତି ସବୁବେଳେ ମାସ୍କ ପିନ୍ଧିବା ଦ୍ୱାରା କରୋନା ଭାଇରସରୁ ରକ୍ଷା ପାଇ ପାରିବ । ସଙ୍କ୍ରମିତ ବ୍ୟକ୍ତିଙ୍କ ଠାରୁ ବାହାରିଥିବା ଡ୍ରପଲେଟ୍ ବିଭିନ୍ନ ସାମଗ୍ରୀରେ ଲାଗି ରହିଥାଏ । ତାକୁ ଛୁଇଁବା ପରେ ହାତ ସାବୁନରେ ଭଲ ଭାବରେ ନଧୋଇଲେ ଏବଂ ମୁହଁ, ଆଖି , ନାକକୁ ଛୁଇଁଲେ ସୁସ୍ଥ ଲୋକକୁ ଆକ୍ରମଣ କରିପାରେ ଭୂତାଣୁ । ଗ୍ଲାସ, ପ୍ଲାଷ୍ଟିକ୍, ଷ୍ଟିଲରେ ବହୁ ସମୟ ଧରି କରୋନା ଭୂତାଣୁ ରହିଥାଏ ବୋଲି କୁହାଯାଇଛି । ତେଣୁ ଯେଉଁ ଅଧିକାଂଶ ସମୟରେ ଅନେକ ଲୋକଙ୍କ ସଂସ୍ପର୍ଶରେ ଆସୁଥିବା କବାଟ ହ୍ୟାଣ୍ଡେଲ, ଲାଇଟ୍ ସୁଇଚ୍, ଟେବୁଲ , ଚେୟାରକୁ ଫିନାଇଲରେ ସଫା କରିବା ଦ୍ୱାରା ସଙ୍କ୍ରମଣରୁ ବର୍ତ୍ତିହେବ ।