ନୂଆଦିଲ୍ଲୀ : ମନ୍ କି ବାତର 122ତମ ଏପିସୋଡ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆଜି ଅନେକ ମହିଳା ଅଛନ୍ତି ଯେଉଁମାନେ କ୍ଷେତରେ କାମ କରୁଛନ୍ତି ଏବଂ ଆକାଶର ଉଚ୍ଚତାକୁ ଛୁଇଁଛନ୍ତି । ଏବେ ଗାଁର ମହିଳାମାନେ ଡ୍ରୋନ୍ ଦିଦି ଭାବରେ ଡ୍ରୋନ୍ ଉଡ଼ାଉଛନ୍ତି ଏବଂ କୃଷିରେ ଏକ ନୂତନ ବିପ୍ଳବର ସୂତ୍ରପାତ କରୁଛନ୍ତି । ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରେ ଯେଉଁ ମହିଳାମାନଙ୍କୁ କିଛି ସମୟ ପୂର୍ବରୁ ଅନ୍ୟମାନଙ୍କ ଉପରେ ନିର୍ଭର କରିବାକୁ ପଡୁଥିଲା, ଏବେ ସେମାନେ ଡ୍ରୋନ୍ ସାହାଯ୍ୟରେ 50 ଏକର ଜମିରେ କୀଟନାଶକ ସିଞ୍ଚନର କାମ ସମାପ୍ତ କରୁଛନ୍ତି । ସକାଳେ ତିନି ଘଣ୍ଟା, ସନ୍ଧ୍ୟାରେ ଦୁଇ ଘଣ୍ଟାରେ କାମ ଶେଷ କରିଦେଉଛନ୍ତି । ପ୍ରଚଣ୍ଡ ସୂର୍ଯ୍ୟ କିମ୍ବା ବିଷାକ୍ତ ରାସାୟନିକ ପଦାର୍ଥର ବିପଦ ନାହିଁ । ଗାଁ ଲୋକେ ମଧ୍ୟ ଏହି ପରିବର୍ତ୍ତନକୁ ସମ୍ପୂର୍ଣ୍ଣ ହୃଦୟର ସହିତ ଗ୍ରହଣ କରିଛନ୍ତି । ଏହି ମହିଳାମାନଙ୍କୁ ‘ଡ୍ରୋନ୍ ଅପରେଟର୍’ ଭାବରେ ଜଣାଶୁଣା ନୁହେଁ ବରଂ ‘ଆକାଶ ଯୋଦ୍ଧା’ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ଉଲ୍ଲେଖନୀୟ ଯେ, ନମୋ ଡ୍ରୋନ୍ ଦିଦି ହେଉଛି ଏକ କେନ୍ଦ୍ରୀୟ କ୍ଷେତ୍ର ଯୋଜନା, ଯାହା ମହିଳାମାନଙ୍କ ନେତୃତ୍ୱାଧୀନ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ କୃଷି ସେବା ପ୍ରଦାନ କରିବା ପାଇଁ ଡ୍ରୋନ୍ ପ୍ରଯୁକ୍ତିବିଦ୍ୟାରେ ସଜ୍ଜିତ କରି ସେମାନଙ୍କୁ ସଶକ୍ତ କରିବା ପାଇଁ ଲକ୍ଷ୍ୟ ରଖିଛି । ଏହି ଯୋଜନା ମାଧ୍ୟମରେ, ଭାରତ ସରକାର ଗ୍ରାମାଞ୍ଚଳରେ ମହିଳାମାନଙ୍କୁ ସଶକ୍ତ କରିବା ସହିତ କୃଷି କାର୍ଯ୍ୟକୁ ଆଗକୁ ବଢ଼ାଇବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛନ୍ତି । ଏହି ପଦକ୍ଷେପ ମହିଳାମାନଙ୍କ ନେତୃତ୍ୱାଧୀନ ବିକାଶ ଏବଂ କୃଷି ଭଳି ପାରମ୍ପରିକ କ୍ଷେତ୍ରଗୁଡ଼ିକରେ ପ୍ରଯୁକ୍ତିବିଦ୍ୟା ପ୍ରବେଶ କରିବାର ସରକାରଙ୍କ ବ୍ୟାପକ ଲକ୍ଷ୍ୟ ସହିତ ସମନ୍ୱୟ ରଖେ । ଏହି ଯୋଜନା କୃଷି ପଦ୍ଧତିରେ ବିପ୍ଳବ ଆଣିବା, ସ୍ବଂୟ ସହାୟକ ଗୋଷ୍ଠୀ ପାଇଁ ଏକ ସ୍ଥାୟୀ ଆୟ ଉତ୍ସ ପ୍ରଦାନ କରିବା ଏବଂ ଗ୍ରାମାଞ୍ଚଳରେ ନୂତନ ପିଢ଼ିର ମହିଳା ଉଦ୍ୟୋଗୀଙ୍କୁ ପ୍ରେରଣା ଦେବାର ପ୍ରତିଶ୍ରୁତି ଦେଇଛି ।