ବିଜେପିରୁ ଇସ୍ତଫା ଦେବା ପରେ ଦୁଇ ବରିଷ୍ଠ ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ଯିବେ କୁଆଡେ ? ଏବେ ଏ ଦୁଇ ନେତାଙ୍କ ଭବିଷ୍ୟତ ରାଜନୀତିକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି. କୁହାଯାଉଛି ଦୁଇ ନେତା ପୁଣି ଘରମୁହାଁ ହେବେ. ଅର୍ଥାତ ବିଜୁ ଜନତା ଦଳକୁ ଫେରିବେ. ତେବେ ଦୁଇ ନେତା ବିଜେପିରୁ ଇସ୍ତଫା ଦେବା ପରେ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ମୁହଁ ଖୋଲି ନାହାନ୍ତି. ବିଜୟ କହିଛନ୍ତି, ତରବରିଆ ନିଷ୍ପତ୍ତି ନେବେ ନାହିଁ. ଆଉ ପନ୍ଦର ଦିନ ଅପେକ୍ଷା କରିବେ. ଦିଲ୍ଲୀପଙ୍କ ମହଲରୁ ବି କିଛି ସୂଚନା ମିଳିନାହିଁ. ମାତ୍ର ଏକଥା ସତ୍ୟ, ଦୁଇ ନେତାଙ୍କ ପରବର୍ତ୍ତୀ ପଦକ୍ଷେପ ସ୍ଥିର ହୋଇସାରିଛି. ଯ଼ୋଜନାବଦ୍ଧ ଭାବେ ଦୁଇ ନେତା ଇସ୍ତଫା ଦେବାକୁ ଦିନ ଧାର୍ଯ୍ୟ କରିଥିଲେ. ତେବେ ବିଜେଡିକୁ ଫେରିବା ନେଇ ହେଉଥିବା ଚର୍ଚ୍ଚା ପଛରେ ବି ଆଧାର ରହିଛି. ଦୁଇ ନେତା ବିଜୁ ପଟ୍ଟନାୟକଙ୍କ ପୁରୁଣା ସହଯ଼ୋଗୀ ଥିଲେ. ରାଜନୈତିକ ଘଟଣାକ୍ରମରେ ନବୀନ ପଟ୍ଟନାୟକ ଦୁଇ ନେତାଙ୍କୁ ଦଳରୁ ବିଦା କରିଥିଲେ. ମାତ୍ର ଗତ 18 ବର୍ଷ ତଳର ରାଜନୀତି ଏବେ ବଦଳି ଯ଼ାଇଛି. ବିଜେଡି ପାଇଁ ସବୁଠାରୁ ବଡ ଶତ୍ରୁ ବିବେଚନା କରାଯାଉଥିବା ଦୁଇ ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କୁ ପୁଣି ଦଳକୁ ଫେରାଇ ଆଣିବା ପାଇଁ ଉଦ୍ୟମ କରାଯାଇଛି. ଥରେ ନୁହେଁ, ବାରମ୍ବାର ଦୁଇ ନେତାଙ୍କ ସହ ପ୍ୟାଚ ପକାଇବାକୁ ଚେଷ୍ଟା କରାଯାଇଛି. କାରଣ ଦଳରୁ ଦୁଇ ତୁଙ୍ଗ ନେତା ବୈଜୟନ୍ତ ପଣ୍ଡା ଓ ଦାମୋଦର ରାଉତଙ୍କୁ ଦଳରୁ ବାହାର କରିବା ପରେ ଆଉ ବାଟ କିଛି ନାହିଁ. ବିଜେଡି ବିରୋଧରେ ମେଳି ବାନ୍ଧିବା ପାଇଁ ଦାମଙ୍କ ନେତୃତ୍ବରେ ଆରମ୍ଭ ହୋଇଥିବା ଉଦ୍ୟମକୁ ଭଣ୍ଡୁର କରିବାକୁ ହେଲେ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କୁ ଦଳ ଭିତରକୁ ଆଣିବାକୁ ପଡିବ. ନୂଆ ରାଜନୈତିକ ସମୀକରଣର ଏ ପଲିଟିକାଲ ପ୍ୟାଚ ପକାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଦୁଇ ନେତା. ବିଗତ ଦିନର ରାଜନୈତିକ ଅପମାନକୁ ସହଜରେ ହଜମ କରିପାରୁନାହାନ୍ତି. ତେଣୁ ବିଜୟ ସାମ୍ବାଦିକ ସମ୍ମିଳନୀରେ କହୁ କହୁ କହିଦେଲେ, ଚର୍ଚ୍ଚାକୁ ଚର୍ଚ୍ଚାରେ ରହିବାକୁ ଦିଅ. ତେବେ କିଛି ଚୂଡାନ୍ତ ସିଦ୍ଧାନ୍ତରେ ପହଞ୍ଚିପାରି ନଥିଲେ ବି ରାଜନୈତିକ ନିଷ୍ପତ୍ତି ଆପାତତଃ ସ୍ଥିର ହୋଇସାରିଛି. ଦୁଇ ନେତାଙ୍କ ସାମନାରେ ଦୁଇଟି ବିକଳ୍ପ ରହିଛି. ପ୍ରଥମତଃ ବିଜେପିରେ ଏକଘରିକିଆ ହୋଇ ଦଳୀୟ ନେତୃତ୍ବ ସେମାନଙ୍କୁ କରିଥିବା ଅପମାନର ପ୍ରତିଶୋଧ ନେବାକୁ ହେଲେ ପୁଣି ବିଜେଡିକୁ ଫେରିବାକୁ ପଡିବ. ମାତ୍ର ବିଜେଡିକୁ ଫେରିବା ପାଇଁ ରାଜନୈତିକ ଦୃଷ୍ଟିକୋଣରୁ ନିଜକୁ ସୁରକ୍ଷିତ ଭାବୁ ନାହାନ୍ତି ଦୁଇ ନେତା. ଦ୍ବିତୀୟ ବିକଳ୍ପ ହେଉଛି ଦାମଙ୍କ ନୂଆ ଦଳ ବିଜୁ ସମତାକ୍ରାନ୍ତି . ଦାମ ବି ଏ ସଂପର୍କରେ ବିଭିନ୍ନ ନେତାଙ୍କ ସହ ଆଲୋଚନା କରିସାରିଛନ୍ତି. ହୁଏତ ଦୁଇ ନେତା ଦ୍ବିତୀୟ ବିକଳ୍ପକୁ ଗ୍ରହଣ କରି ଉଭୟ ବିଜେଡି ଓ ବିଜେପି ବିରୋଧରେ ରାଜ୍ୟରେ ନୂଆ ରାଜନୈତିକ ଶକ୍ତିର ଅଦ୍ଭ୍ୟୁଦୟ ପାଇଁ ଅଣ୍ଟା ଭିଡି ପାରନ୍ତି.

LEAVE A REPLY

Please enter your comment!
Please enter your name here