ମୋଦୀଙ୍କ ସ୍ବପ୍ନର ଅଚ୍ଛେଦିନ୍ ।
106 ଟଙ୍କାରେ ପହଞ୍ଚିଲା ପେଟ୍ରୋଲ ଲିଟର । ଗତ ଦଶଦିନ ଭିତରେ ଭୁବନେଶ୍ବରରେ ପେଟ୍ରୋଲ ଦର ଲିଟର ପିଚ୍ଛା 104 ଟଙ୍କା 57 ପଇସାରୁ ବଢି ବଢି 106 ଟଙ୍କା 42 ପଇସାରେ ପହଞ୍ଚିଛି । ସବୁ ସୀମା ଅତିକ୍ରମ କରିଛି ପେଟ୍ରୋଲ ଓ ଡିଜେଲ ଦର । ଦରବୃଦ୍ଧି ନିୟନ୍ତ୍ରଣରେ ବିଫଳ ହୋଇଛନ୍ତି ମୋଦୀ ସରକାର । 2014 ରେ ସାଧାରଣ ନିର୍ବାଚନ ପୂର୍ବରୁ ଦେଶବାସୀଙ୍କୁ କଂଗ୍ରେସ କବଳରୁ ମୁକ୍ତକରି ଅଚ୍ଛେଦିନ୍ ର ସ୍ବପ୍ନ ଦେଖାଇଥିଲେ ମୋଦୀ । ସେତେବେଳେ ଦେଶରେ ପେଟ୍ରୋଲ ଦର ଲିଟର ପିଚ୍ଛା 71 ଟଙ୍କା 41 ପଇସା ରହିଥିଲା ।
ଦର ନିୟନ୍ତ୍ରଣରେ ବିଫଳ ମୋଦି ସରକାର ସବୁବେଳେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଲଦରର ବାହାନା ଦେଖାଇ ଚାଲିଛନ୍ତି । ମାତ୍ର ଦେଶବାସୀଙ୍କ ମୁଣ୍ଡ ଉପରେ ଟିକସ ବୋଝ ଲଦି ଚାଲିଛନ୍ତି । ପ୍ରତି ଲିଟର ପେଟ୍ରୋଲରେ ଟିକସ ପରିମାଣ 60 ଟଙ୍କାରୁ ଅଧିକ ଦେବାକୁ ପଡୁଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ମୋଟାଅଙ୍କର ଟିକସ ଆଦାୟ କରୁଛନ୍ତି ।
କେବଳ ପେଟ୍ରୋଲ ଓ ଡିଜେଲ ଉପରେ ଦରବୃଦ୍ଧିର ଛାଟ ଲୋକଙ୍କୁ ବାଧୁନି, ତା ସହିତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରବୃଦ୍ଧି ଆକାଶ ଛୁଆଁ ହେବାରେ ଲାଗିଛି ।
ଗତ ପାଞ୍ଚବର୍ଷର ତୁଳନାତ୍ମକ ଚିତ୍ର ଦେଖିଲେ ମୁଣ୍ଡରେ ହାତଦେଇ ବସିବାକୁ ପଡିବ । ଡାଲି, ରିଫାଇନ ତେଲ ଦର ଦୁଇଗୁଣରୁ ଅଧିକ ହୋଇଛି । ଏମିତି ଦରବୃଦ୍ଧି ଜାରି ରହିଲେ ଦେଶବାସୀଙ୍କୁ ମୋଦୀଙ୍କ ସ୍ବପ୍ନର ଅଚ୍ଛେଦିନ୍ ନିକଟରେ ପହଞ୍ଚିବାକୁ ଆଉ ବେଶୀ ସମୟ ଲାଗିବନି ।