ଭୁବନେଶ୍ବର ମହାନଗର ନିଗମ ଅଫିସ ଭିତରେ ପଶି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଯେଉଁଭଳି ଭାବେ ମରଣାନ୍ତକ ଆକ୍ରମଣ କରାଗଲା, ଘୋଷାଡି ଘୋଷାଡି ଅତି ନୃଶଂସ ଭାବେ ମାଡ ମରାଗଲା, ରାଜ୍ୟର ମୋହନ ମାଝୀ ସରକାରଙ୍କ ଗଳାରେ କଣ୍ଟା ହୋଇ ଅଟକି ଯାଇଛି । ମୋହନ ନା କଣ୍ଟା କାଢି ପାରୁଛନ୍ତି, ନା ଗିଳି ପାରୁଛନ୍ତି । ସ୍ଥିତି ଅତି ଗମ୍ଭୀର ଆଡକୁ ଯାଉଛି । ଘଟଣାକୁ ଘଣ୍ଟ ଘୋଡାଇବାକୁ କିଛି ବାଟ ନାହିଁ । କ୍ୟାମେରାରେ ଘଟଣା କଏଦ ହୋଇ ନ ଥିଲେ ଗାଲୁ ମାରି ଖସି ଯାଇଥାନ୍ତେ । ମାତ୍ର ସବୁ ଘଟଣା ସିନେମାର ଦୃଶ୍ୟ ପରି ଜଳ ଜଳ ଦିଶୁଛି । ବିଜେପି କର୍ପୋରେଟର ଏବଂ ତାଙ୍କ ସାଥୀମାନେ ସରକାରୀ ଅଧିକାରୀଙ୍କୁ ଖାଲି ନୃଶଂସ ଭାବେ ପିଟି ନାହାଁନ୍ତି, ବରଂ ଖୋଳାଖୋଲି ଭାବେ କ୍ୟାମେରା ଆଗରେ ଜଗା ଭାଇ ସାଙ୍ଗେ ଏମିତି କଥା ହୋଇଥିବାରୁ ମାଡ ମରାଯିବ ବୋଲି କହିଛନ୍ତି । ଜଗା ଭାଇ ବି କିଛି କମ୍ ଲୋକ ନୁହଁନ୍ତି । ସେ ବି କ୍ୟାମେରା ଆଗରେ ଗୋଟିଏ ହାତରେ ତାଳି ବାଜେ ନାହିଁ ବୋଲି କହିଛନ୍ତି । ମାଡ ମାରିଥିବା ଏବଂ ମାଡ ଖାଇଥିବା ସମସ୍ତେ ଆମ ଲୋକ ବୋଲି କହି ଘଟଣାରେ ତାଙ୍କ ସଂପୃକ୍ତି ଥିବାକୁ ସ୍ବୀକାର କରିଛନ୍ତି । ସେପଟେ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ ଦାବିରେ ଅଡି ବସିଛନ୍ତି ରାଜ୍ୟ ଓଏଏସ ଅଫିସର୍ସ ସଂଘ । କାମ ବନ୍ଦ କରି ପ୍ରଶାସନିକ କଳକୁ ଅଚଳ କରିଦେଇଛନ୍ତି । ପୋଲିସ ପାଞ୍ଚଜଣ ବିଜେପି ନେତାଙ୍କୁ ଗିରଫ କରିବା ଏବଂ ରାଜ୍ୟ ସଭାପତି ମନମୋହନ ସାମଲ ସେମାନଙ୍କୁ ଦଳରୁ ସସପେଣ୍ଡ କରିବା ପରେ ବି ସ୍ଥିତି ଥଣ୍ଡା ପଡିନାହିଁ । ବର୍ଷ ଏକ, ଉପଲବ୍ଧି ଅନେକର ସ୍ଲୋଗାନ ଦେଇ ବର୍ଷ ପୂର୍ତ୍ତି ପାଳନ କରୁଥିବା ମୋହନ ସରକାରର ଛବି ବିଏମସି ମାଡ ମରା ଘଟଣା ମଳିନ କରିଦେଇଛି । ଆଜି ଜଗନ୍ନାଥ ପ୍ରଧାନଙ୍କୁ ଡାକି ରାଜ୍ୟ ସଭାପତି ମନମୋହନ ସାମଲ ଘଣ୍ଟାଏ କାଳ ଆଲୋଚନା କରିଥିଲେ ବି କିଛି ସୁଫଳ ବାହାରିନି । ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିବା ପାଇଁ ସାହସ ଜୁଟେଇ ପାରୁନାହାଁନ୍ତି ସରକାର । ତେବେ ସ୍ଥିତି ହାଲୁକା କରିବା ପାଇଁ ସମାଧାନ ଖୋଜିବାରେ ଲାଗିଛନ୍ତି ମୋହନ ସରକାର । କିନ୍ତୁ ପ୍ରଶ୍ନ ଉଠୁଛି, ଜଗା ପ୍ରଧାନ ଜାଗାରେ ଯଦି ଆଉ କେହି ଥାଆନ୍ତା, ତା ହେଲେ ପୋଲିସ କଣ ଛାଡିଦେଇଥାନ୍ତା କି ? ଯିଏ ଅପରାଧ କରିଛି ଏବଂ ଯିଏ ଅପରାଧ କରିବା ପାଇଁ ଉସୁକାଇଛି, ସେ ଦଣ୍ଡିତ ହେବା ଉଚିତ । ପିପୁଲ୍ସ ଚିଫ୍ ମିନିଷ୍ଟର ବୋଲି ଖାଲି କଥାରେ କହିଦେଲେ ହେବନି, କାମରେ ଦେଖାଇବା ଦରକାର ।














