ଦିନ ଦ୍ବିପହରେ ସମସ୍ତଙ୍କ ଆଖି ଆଗରେ ଗୋଟିଏ ରାଜ୍ୟର ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ପୋଲିସ ଅଧିକାରୀ ଗୁଳି କରି ହତ୍ୟା କଲେ । ପୋଲିସ ଅଧିକାରୀଙ୍କ ଗୁଳିରେ ସେଇଠି ଟଳି ପଡିଲେ ମନ୍ତ୍ରୀ ନବ ଦାସ । କୁହାଯାଉଛି, ସେଇଠି ହିଁ ଆଖି ବୁଜି ଦେଇଥିଲେ ନବ ଦାସ । ମାତ୍ର ଏୟାର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ବର ଆଣି ଆପୋଲୋ ହସପିଟାଲ ଆଇସିୟୁରେ ଭର୍ତ୍ତି କରିବା, ଅପରେସନ କରିବା ଏବଂ ନବ ଦାସଙ୍କୁ ବଞ୍ଚାଇବା ପାଇଁ ସରକାର ନାଟକୀୟ ଉଦ୍ୟମ ଆରମ୍ଭ କରିଦେଲେ । ଏମିତିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆପୋଲୋ ହସପିଟାଲକୁ ଆସି ଚିକିତ୍ସାଧୀନ ନବ ଦାସଙ୍କୁ ଦେଖିବା ସହ ତାଙ୍କର ଆରୋଗ୍ୟ କାମନା କଲେ । ଝାରସୁଗୁଡାରେ ନବ ଦାସଙ୍କ ମୃତ୍ୟୁ ହୋଇସାରିଥିଲା ବୋଲି ବିରୋଧୀ ଦଳ ନେତା ଦୃଢତାର ସହ କହିଥିଲେ । ପ୍ରଶ୍ନ ଉଠୁଛି ସରକାର ଏମିତି ମିଛ କହିଲେ କାହିଁକି ?

ଆଜି କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ ଦେବା ପରେ ସ୍ପଷ୍ଟ ହୋଇଯାଇଛି ରିପୋର୍ଟରେ ସେମିତି କିଛି ନାହିଁ । ଯାହା ପୂର୍ବରୁ ସମସ୍ତେ ଜାଣିଛନ୍ତି, କ୍ରାଇମବ୍ରାଞ୍ଚ ରିପୋର୍ଟରେ ସେଇଆ ଅଛି । ଗୋପାଳ ହତ୍ୟା କରିଥିବା କଥା ସମସ୍ତେ ଜାଣିଛନ୍ତି, କିନ୍ତୁ ଗୋପାଳ କାହିଁକି ହତ୍ୟା କଲା, ସେକଥା କାହାକୁ ଜଣା ନାହିଁ । କ୍ରାଇମବ୍ରାଞ୍ଚ ବି କାରଣ ଖୋଜି ବାହାର କରିପାରିଲାନି । ପ୍ରଶ୍ନ ଉଠୁଛି, 118 ଦିନ ଧରି କ୍ରାଇମବ୍ରାଞ୍ଚ କରୁଥିଲା କଣ ?

ନବ ଦାସ ହତ୍ୟାକାଣ୍ଡ ପରେ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ଆଦେଶ ଦେଲେ । ମାତ୍ର ବିରୋଧୀ ମାମଲାର ସିବିଆଇ ତଦନ୍ତ ଦାବି କରୁଥିଲେ । ସରକାର ଆଉ ପାଦେ ଆଗେଇ ଯାଇ ହତ୍ୟାକାଣ୍ଡର ଏଫବିଆଇ ତଦନ୍ତ କରାଯିବ ବୋଲି ଘୋଷଣା କଲେ । ଖାଲି ଘୋଷଣା କଲେନି, ବିଧାୟକଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ରାଜ୍ୟ ସରକାର ଏଫବିଆଇ ତଦନ୍ତ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଚିଠି ଲେଖିଥିବା କଥା କହିଥିଲେ । କିନ୍ତୁ ଏବେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଆରଟିଆଇ ସୂଚନା ଆଧାରରେ ସ୍ପଷ୍ଟ କରିଛନ୍ତି, ନବ ଦାସ ହତ୍ୟାକାଣ୍ଡର ତଦନ୍ତ ପାଇଁ ସରକାର ସହଯୋଗ ମାଗିନାହାନ୍ତି । ଅର୍ଥାତ ସରକାର ମିଛ କହିଲେ । ପ୍ରଶ୍ନ ଉଠୁଛି, ସରକାର କାହିଁକି ଏମିତି ମିଛ କହିଲେ ? ସରକାର କଣ ନିଜ ମନ୍ତ୍ରୀଙ୍କ ହତ୍ୟାକାଣ୍ଡର ରହସ୍ୟ ଖୋଲିବାକୁ ଚାହୁଁ ନା ଥିଲେ ?

ନିଜ ମନ୍ତ୍ରୀଙ୍କ ହତ୍ୟା ରହସ୍ୟ ଖୋଲି ନ ପାରିବା ସରକାରଙ୍କ ଦୁର୍ବଳତା ନା ସବଳତା ?

କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ ଦାଖଲ ପରେ ଆଇନ ବିଶାରଦମାନେ ବିଶ୍ଳେଷଣ କରୁଛନ୍ତି, ଅଭିଯୁକ୍ତ ଗୋପାଳ ଦାସ ଖସିଯିବ । କ୍ରାଇମବ୍ରାଞ୍ଚ ତଦନ୍ତ ଓ ଚାର୍ଜସିଟ୍ ଦେଖି ଆଇନ ବିଶାରଦମାନେ ଖୁସି ନାହାଁନ୍ତି । ତଦନ୍ତକାରୀ ସଂସ୍ଥା ଯାହା ତଥ୍ୟ ଦେଇଛି, ତାହା ଜଣେ ହତ୍ୟାକାରୀ ଅଭିଯୁକ୍ତକୁ ଦଣ୍ଡ ଦେବା ପାଇଁ ଯଥେଷ୍ଟ ନୁହେଁ । ଅତଏବ କ୍ରାଇମବ୍ରାଞ୍ଚ ଦୁର୍ବଳ ରିପୋର୍ଟ ଦେଇଛି ।

ସବୁଠୁ ଗୁରୁତ୍ବପୂର୍ଣ୍ଣ ଓ ଚକିତ କଲା ଭଳି କଥା ହେଉଛି, ନବ ଦାସ ହତ୍ୟାକାଣ୍ଡର ତଦନ୍ତକୁ ନେଇ କେବଳ ବିରୋଧୀ ରାଉ ରାଉ ହେଉଛନ୍ତି । କିନ୍ତୁ ନବ ଦାସଙ୍କ ପରିବାର ଲୋକ ଚୁପ୍ । ଶାସକ ଦଳର ଟିକଟରେ ବିଧାନସଭାକୁ ନିର୍ବାଚିତ ହୋଇ ନବଙ୍କ ଝିଅ ଦୀପାଳି ଏବେ ବିଧାୟକ । ତେଣୁ ବାପାଙ୍କ ହତ୍ୟା ରହସ୍ୟ ଉନ୍ମୋଚନ ନ ହେବା ନେଇ ପରିବାର ମୁହଁ ଖୋଲୁନାହାଁନ୍ତି । ଯଦି ତଦନ୍ତରେ ପରିବାର ଲୋକେ ଖୁସି, ତେବେ ବିରୋଧୀ ରାଉ ରାଉ କାହିଁକି ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here