ଲଖିମପୁର ଖେରିକୁ ଯିବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଓ ଅନ୍ୟ ତିନିଜଣଙ୍କୁ ଅନୁମତି ଦେଲେ ଉତ୍ତର ପ୍ରଦେଶ ସରକାର । ଚାଷୀଙ୍କୁ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର କାର୍ ମଡାଇ ମାରିଦେବା ଅଭିଯୋଗ ହୋଇଛି । ରବିବାର ଦିନ ଖେରିରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଅଜୟ ମିଶ୍ରଙ୍କ ଫର୍ଚୁନର ଗାଡି ପାଞ୍ଚଜଣ ଚାଷୀ ଓ ତିନିଜଣ ସାଧାରଣ ଲୋକଙ୍କ ଉପରେ ମାଡି ଯାଇଥିଲା । ଫଳରେ ଆଠଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ପରିବାରକୁ ଭେଟିବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଓ ଅନ୍ୟନେତାମାନେ ଯିବାକୁ ଚାହିଁଥିଲେ ହେଁ ପୋଲିସ ସେମାନଙ୍କୁ ଛାଡି ନ ଥିଲା । ଅନ୍ୟପକ୍ଷରେ ଗତକାଲି ପୋଲିସ ପ୍ରିୟଙ୍କା ଗାନ୍ଧୀଙ୍କୁ ଗିରଫ କରିଥିଲା ।
ଆଜି ସକାଳେ ରାହୁଲ ଗାନ୍ଧୀ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ଚନ୍ନୀ, ଦଳର ବରିଷ୍ଠ ନେତା କେ.ସି. ବେଣୁଗୋପାଳ ଓ ସଚ୍ଚିନ ପାଇଲଟ ଦିଲ୍ଲୀ ଲକ୍ଷ୍ନୌ ବିମାନରେ ଯାତ୍ରା କରିବା ପୂର୍ବରୁ ସେମାନଙ୍କୁ ଯିବାକୁ ଅନୁମତି ଦିଆଯାଇ ନ ଥିଲା । ପରେ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଦେଶରେ ଗଣତନ୍ତ୍ର ନାହିଁ, ଏକଛତ୍ରବାଦ ଶାସନ ଚାଲିଛି ଏବଂ ଚାଷୀଙ୍କ ଉପରେ ଯୋଜନାବଦ୍ଧ ଆକ୍ରମଣ ହେଉଛି ବୋଲି କହିଛନ୍ତି । ରାଜନେତାଙ୍କୁ ଉତ୍ତରପ୍ରଦେଶ ଯିବା ଉପରେ କଟକଣା ଲଗାଯିବାକୁ ସେ କଟୁ ସମାଲୋଚନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here