ଟିଏମସି ସାଂସଦ ମହୁଆ ମୈତ୍ରଙ୍କୁ ଲୋକସଭା ସାଂସଦ ପଦରୁ ବହିଷ୍କୃତ କରାଯାଇଛି । ସାଂସଦ ଭାବେ ତାଙ୍କର କାର୍ଯ୍ୟକୁ ଆପତ୍ତିଜନକ, ଅନୈତିକ ଓ ଅପରାଧିକ ଦର୍ଶାଇ ଏଥିକ୍ସ କମିଟି ତାଙ୍କୁ ଲୋକସଭାରୁ ବହିଷ୍କୃତ କରିବା ପାଇଁ ସୁପାରିଶ କରିଥିଲା । ଆଜି ଲୋକସଭାରେ ସାସଂଦ ମହୁଆ ମୈତ୍ରଙ୍କୁ ବହିଷ୍କାର କରିବା ପାଇଁ ଏଥିକ୍ସ କମିଟି ପ୍ରସ୍ତାବ ଉପରେ ଭୋଟ ଗ୍ରହଣ କରାଯାଇଥିଲା । ତେବେ ସାଂସଦ ମହୁଆଙ୍କ ବିରୋଧରେ ଆସିଥିବା ବହିଷ୍କାର ପ୍ରସ୍ତାବକୁ ବିରୋଧୀ ସାଂସଦମାନେ ବିରୋଧ କରିଥିଲେ । ମହୁଆ ମଧ୍ୟ ଲୋକସଭାରେ ନିଜ ପକ୍ଷ ରଖିବାକୁ ଚାହିଁଥିଲେ । କିନ୍ତୁ ଏଥିକ୍ସ କମିଟି ତାଙ୍କୁ ବହିଷ୍କାର କରିବାକୁ ସୁପାରିଶ କରିଥିବାରୁ ବାଚସ୍ପତି ଓମ୍ ବିର୍ଲା କହିବାକୁ ସୁଯୋଗ ଦେଇ ନ ଥିଲେ । ଏହାପରେ ମହୁଆ ସଂସଦରୁ ବାହାରି ଆସିଥିଲେ । ବହିଷ୍କାର ପ୍ରସ୍ତାବକୁ ବିରୋଧ କରି ଇଣ୍ଡିଆ ମେଣ୍ଟର ସାଂସଦମାନେ ମଧ୍ୟ ଗୃହ ବର୍ଜନ କରି ସଂସଦ ପରିସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣାରେ ବସିଥିଲେ । ଅନ୍ୟପକ୍ଷରେ ମହୁଆଙ୍କୁ ଲୋକସଭାରୁ ବହିଷ୍କାର କରାଯିବା ପରେ ଗୃହକୁ ଆସନ୍ତା 11 ତାରିଖ ଯାଏଁ ମୁଲତବୀ ରଖାଯାଇଛି ।
ଟିଏମସି ସାଂସଦ ମହୁଆଙ୍କ ବିରୋଧରେ ପ୍ରଶ୍ନ ପାଇଁ ଲାଞ୍ଚ ନେବା ଅଭିଯୋଗ ହୋଇଥିଲା । ଗୌତମ ଆଦାନୀ ମାମଲାରେ ପ୍ରଶ୍ନ ପଚାରିବା ପାଇଁ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ଠାରୁ ଲାଞ୍ଚ ନେବା ଅଭିଯୋଗ ହୋଇଥିଲା । ସେ ତାଙ୍କ ଲୋକସଭା ମେମ୍ବର ପୋର୍ଟାଲ ପାସଓ୍ବାର୍ଡ ଦର୍ଶନ ହୀନନ୍ଦାନୀଙ୍କୁ ଦେଇଥିଲେ । ଏହି ମାମଲାରେ ଏଥିକ୍ସ କମିଟି ତାଙ୍କୁ ସମନ୍ କରିଥିଲା । ଏଥିକ୍ସ କମିଟିରେ ଏହାକୁ ନେଇ ହଙ୍ଗାମା ହେବା ପରେ ବୈଠକ ଛାଡି ଚାଲି ଆସିଥିଲେ ମହୁଆ । ପରେ ସେ ଗଣମାଧ୍ୟମକୁ କହିଥିଲେ, ଏଥିକ୍ସ କମିଟି ବୈଠକରେ ତାଙ୍କ ପ୍ରତି ବ୍ୟବହାର ଦ୍ରୌପଦୀଙ୍କ ବସ୍ତ୍ରହରଣ ଠାରୁ ବି ଅଧିକ । ଏହି ପ୍ରସଙ୍ଗକୁ ନେଇ ମହୁଆ ଚର୍ଚ୍ଚାରେ ରହିଥିବା ବେଳେ ଆଜି ତାଙ୍କୁ ଲୋକସଭା ସାଂସଦ ପଦରୁ ବହିଷ୍କାର କରାଯାଇଛି ।
ମହୁଆଙ୍କୁ ବହିଷ୍କାର କରାଯିବା ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମମତା ବାନାର୍ଜୀ । ଏଥିକ୍ସ କମିଟି ମହୁଆଙ୍କ ବିରୋଧରେ 495 ପୃଷ୍ଠାର ରିପୋର୍ଟ ଗୃହରେ ଉପସ୍ଥାପନ କରିଥିଲା । ଏହାକୁ ଜଣେ ସାଂସଦ ପଢି ଆଲୋଚନାରେ ଅଂଶ ଗ୍ରହଣ କରିବା ସମୟସାପେକ୍ଷ । କିନ୍ତୁ ମାତ୍ର ଅଧଘଣ୍ଟାର ଆଲୋଚନାରେ ଭଏସ ଭୋଟରେ ତାଙ୍କୁ ବହିଷ୍କାର କରାଯିବା ଅଗଣତାନ୍ତ୍ରିକ । ବିଜେପି ସରକାର ଗଣତନ୍ତ୍ରକୁ ହତ୍ୟା କରିଛି ବୋଲି ମମତା କହିଛନ୍ତି । ମହୁଆଙ୍କୁ ସେ ପୂର୍ଣ୍ଣ ସମର୍ଥନ କରିବା ସହ ଇଣ୍ଡିଆ ମେଣ୍ଟର ସବୁ ସାଂସଦ ମହୁଆଙ୍କୁ ସମର୍ଥନ ଜଣାଇଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here