ତେହେରାନ: ଆତଙ୍କବାଦକୁ ପ୍ରୋତ୍ସାହନ ଦେଇ ଆସୁଥିବା ପାକିସ୍ତାନ ସମଗ୍ର ବିଶ୍ବରେ ନିଜର ଭାବମୂର୍ତ୍ତି ସଜାଡିବା ପାଇଁ ଏବେ ଶାନ୍ତିର ଭାଷା କହିବା ଆରମ୍ଭ କରିଛି । ଇରାନ ଗସ୍ତରେ ଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ସରିଫ କହିଛନ୍ତି, ଆମେ ପଡୋଶୀ ଭାରତ ସହ ସବୁ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛୁ । ଯଦି ଭାରତ ଆମର ଶାନ୍ତି ପ୍ରସ୍ତାବକୁ ଗ୍ରହଣ କରେ, ତେବେ ଆମେ ଦେଖାଇବୁ ଯେ ଆମେ ପ୍ରକୃତରେ ଗମ୍ଭୀରତା ଏବଂ ଆନ୍ତରିକତାର ସହିତ ଶାନ୍ତି ଚାହୁଁଛୁ ।
ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସିନ୍ଧୁ ଜଳ ଚୁକ୍ତି ବାତିଲ କରିବା, ଅପରେସନ ସିନ୍ଦୁରରେ ଆତଙ୍କବାଦୀ ଆଡ୍ଡା ଉପରେ ମିସାଇଲ ମାଡ କରିବା ଏବଂ ପାକିସ୍ତାନର ଆକ୍ରମଣକୁ ପ୍ରତିହତ କରିବାକୁ ଯାଇ ପାକିସ୍ତାନର ପ୍ରମୁଖ ଏୟାରବେସ୍ ଉପରେ ମିସାଇଲ ଆକ୍ରମଣ କରିବା ଘଟଣା ପାକିସ୍ତାନକୁ ନରମ ହେବାକୁ ବାଧ୍ୟ କରିଛି । ପହଲଗାମ ଆକ୍ରମଣ ପରେ ଭାରତକୁ ବାରମ୍ବାର ଯୁଦ୍ଧର ଧମକ ଦେବା ଏବଂ ଆତଙ୍କବାଦକୁ ପାକିସ୍ତାନ ପ୍ରୋସ୍ତାହନ ଦେଇ ଆସୁଛି ବୋଲି ଖୋଲାଖୋଲି କହୁଥିବା ପାକିସ୍ତାନ ଭାରତର ଆକ୍ରମଣ ପରେ ଅନ୍ତର୍ଜାତୀୟ ସ୍ତରରେ ନିଜ ଭାବମୂର୍ତ୍ତି ସଜାଡିବାକୁ ଚେଷ୍ଠା କରୁଛି । ଭାରତ ପାକିସ୍ତାନ ଯୁଦ୍ଧ ବିରତି ପରେ ଭାରତ ସରକାର ସଂସଦୀୟ ପ୍ରତିନିଧି ଦଳ ପଠାଇ ବିଭିନ୍ନ ଦେଶକୁ ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପ ସଂପର୍କରେ ଅବଗତ କରାଉଥିବା ବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ମଧ୍ୟ ଅନୁରୂପ ଭାବେ ବିଭିନ୍ନ ଦେଶକୁ ଗସ୍ତ କରି ନିଜ ସପକ୍ଷରେ ସମର୍ଥନ ଯୋଗାଡରେ ଲାଗିଛନ୍ତି । ତେବେ ପାକିସ୍ତାନ ବିରୋଧରେ ଭାରତର ସିନ୍ଧୁ ଜଳ ଚୁକ୍ତି ବାତିଲ ଏବଂ ବାଣିଜ୍ୟିକ କାରବାର କଟକଣା ପାକିସ୍ତାନକୁ ପ୍ରଭାବିତ କରୁଥିବାରୁ କଥାବାର୍ତ୍ତା ମାଧ୍ୟମରେ ସମସ୍ୟାର ସମାଧାନ କରିବା ପାଇଁ ସରିଫ କହୁଛନ୍ତି । ମାତ୍ର ଗୋଟିଏ ପଟେ ଆତଙ୍କବାଦକୁ ପ୍ରୋତ୍ସାହନ କରୁଥିବା ସରିଫଙ୍କ ମୁହଁରେ ଶାନ୍ତିର ବାର୍ତ୍ତା ଶୋଭନୀୟ ହେଉନାହିଁ ।