ଲାଞ୍ଚ ନେବା ଜଣେ ପୋଲିସ ଅଧିକାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ବରଗଡ଼ ଜିଲ୍ଲା ବିଜେପୁର ଥାନା ଏସ୍ଆଇ ଜଗା ବରିହା ସକାଳୁ ସକାଳୁ ଲାଞ୍ଚ ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ମିଳିଥିବା ପ୍ରାଥମିକ ସୂଚନା ଆଧାରରେ, ଜଣେ ସ୍କ୍ରାପ୍ ଡିଲର୍ ଯିଏ କି ଅଭିଯୋଗକାରୀ ତାଙ୍କ ବ୍ୟବସାୟ ସୁରୁଖରେ ଚଳାଇବାକୁ ଅନୁମତି ମାଗୁଥିବାବେଳେ ଏସ୍ଆଇ ବରିହା ୧୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । ମାତ୍ର ଡିଲର୍ ଏତେଗୁଡ଼ାଏ ଟଙ୍କା ଦେଇ ପାରିବେ ନାହିଁ ବୋଲି କହିଥିଲେ । ଶେଷରେ ୭୦୦୦ ଟଙ୍କାରେ କଥା ଛିଡ଼ିଥିଲା । ଏ ନେଇ ଡିଲର୍ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗ ପରେ ଭିଜିଲାନ୍ସ ଟିମ୍ ଦ୍ୱାରା ଏସ୍ଆଇଙ୍କୁ ଧରିବାକୁ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା । ପୂର୍ବ ଯୋଜନା ମୁତାବକ ଆଜି ସକାଳୁ ଡିଲର୍ ଏସ୍ଆଇଙ୍କୁ ଲାଞ୍ଚ ଦେଉଥିବାବେଳେ ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲା ।














