ଟିକେଟ ବଣ୍ଟା ପରେ ଏବେ ପ୍ରଚାର ପାଳି । ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଏବେ ସବୁ ଦଳର ପ୍ରୟାସ ଆରମ୍ଭ ହୋଇଯାଇଥିବାବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ରୋଡ ଶୋ କରି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ସ୍ୱତନ୍ତ୍ର ବସରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ସେ ଭୋଟ ଭିକ୍ଷା କରିଛନ୍ତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଦକ୍ଷିଣ ତଥା ନିଜ ଦୁର୍ଗ ଗଞ୍ଜାମରୁ ରୋଡ ସୋ କରିଛନ୍ତି । ଗଞ୍ଜାମରୁ ହାଇଭୋଲ୍ଟେଜ ପ୍ରଚାର ଆରମ୍ଭ କରି କେନ୍ଦ୍ର ଉପରେ ଖୁବ୍ ବର୍ଷିଥିଲେ ନବୀନ । ନବୀନ କହିଛନ୍ତି ସାଢେ ଚାରି କୋଟି ଓଡିଆ ମୋ ପରିବାର । ମୁଁ ଆପଣମାନଙ୍କ ନିକଟରେ ଅଛି ଓ ସର୍ବଦା ରହିବି । ଚାଷୀଙ୍କ ହକ୍ ପାଇଁ କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି ବୋଲି କହିଛନ୍ତି ନବୀନ ପଟ୍ଟନାୟକ । ଏଥିସହିତ କେନ୍ଦ୍ରକୁ ପ୍ରଶ୍ନବାଣ କରିଛନ୍ତି ବିଜେଡି ସୁପ୍ରିମୋ । ୨୦୧୪ରେ ବିଜେପି ଦେଇଥିବା ପ୍ରତିଶ୍ରୁତି କୁଆଡେ ଗଲା । କୁଆଡେ ଗଲା ବର୍ଷକୁ ୨ କୋଟି ୫ ବର୍ଷରେ ୧୦କୋଟି ଚାକିରି । ପ୍ରାକୃତିକ ବିପର୍ଯ୍ୟୟବେଳେ କାହିଁକି ବିରୋଧୀଙ୍କ ଦେଖା ମିଳେନି । ଫାଇଲିନ , ହୁଡହୁଡ, ତିତଲି, ମରୁଡି ବେଳେ କୁଆଡେ ଥିଲା କେନ୍ଦ୍ର । ଲୋକ ଦେଖାଣିଆ ଭାବେ ନିର୍ବାଚନବେଳେ ବିଜେପିର ବଡ ବଡ ନେତା କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କହି କେନ୍ଦ୍ରକୁ ସମାଲୋଚନା କରିଛନ୍ତି । ଗଞ୍ଜାମ, ବ୍ରହ୍ମପୁର,ଛତ୍ରପୁର ଏବଂ ଶେଷରେ ରମ୍ଭା ଏନଏସିରେ ରୋଡ ଶୋ କରିଥିଲେ ନବୀନ । ଲମ୍ବା ନିର୍ବାଚନ ପ୍ରଚାର ପାଇଁ ଦଳ ପକ୍ଷରୁ ସ୍ବତନ୍ତ୍ର ଅତ୍ୟାଧୁନିକ ବସ୍ ବ୍ୟବସ୍ଥା କରାଯାଇଛି. ବସ ଭିତରେ ମୁଖ୍ୟମନ୍ତ୍ରୀଙ୍କ ବସିବା ପାଇଁ ଆରାମଦାୟକ ଚେୟାର ଥିବାବେଳେ ବିଶ୍ରାମ ପାଇଁ ବେଡ୍ ବ୍ୟବସ୍ଥା କରାଯାଇଛି. ବସ୍ ଉପରୁ ଲୋକଙ୍କୁ ଅଭିବାଦନ ଜଣାଇବା ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି.

LEAVE A REPLY

Please enter your comment!
Please enter your name here