ବାତ୍ୟା ଫନିକୁ ବିତି ଯାଇଛି ୧୩ ଦିନ । ବାତ୍ୟାରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ସହରରେ କେବଳ ଶ୍ରୀମନ୍ଦିରରେ ବିଜୁଳି ଅବସ୍ଥା ସ୍ବାଭାବିକ ହୋଇଛି । ତେବେ ସହରକୁ କେବେ ବିଦ୍ୟୁତ ମିଳିବ, ସେସଂପର୍କରେ କିଛି ସ୍ପଷ୍ଟ ସୁଚନା ମିଳି ପାରୁନାହିଁ । ସେପଟେ ପୁରୀ ସହର ଓ ଆଖପାଖ ଗାଁ ମାନଙ୍କରେ ଏପର୍ଯ୍ୟନ୍ତ ସୁଧୁରିନାହିଁ ସ୍ଥିତି । ଏବେ ବି ଅସ୍ତବ୍ୟସ୍ତ ଜନଜୀବନ । ଫନି ବିପର୍ଯ୍ୟୟ ସାଙ୍ଗକୁ ପ୍ରଚଣ୍ଡ ତାତିରେ ଲୋକେ ସନ୍ତୁଳି ହୋଇଯାଉଛନ୍ତି । ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତି ହେଉଥିବାରୁ ଆଉଟୁସାଉଟୁ ହେଉଛନ୍ତି ଲୋକେ । ଫନିରେ ପୁରୀ ସହରର ବିଦ୍ୟୁତ ବ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ବିଦ୍ୟୁତ ଖୁଣ୍ଟି ଓ ଟାଓାର ଉପୁଡି ପଡିଥିବା ଯୋଗୁ ବିଦ୍ୟୁତ ସଂଯୋଗ ବିଳମ୍ବିତ ହେବାରେ ଲାଗିଛି । ପୁରୀରେ ବିଦ୍ୟୁତ ସଂଯୋଗ ଅଗ୍ରଗତି ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ସମୀକ୍ଷା କରିଛନ୍ତି । ଦଶହଜାର କର୍ମଚାରୀ ସ୍ବାଭାବିକ ବିଦ୍ୟୁତ ବ୍ୟବସ୍ଥା ଫେରାଇ ଆଣିବା ପାଇଁ କାର୍ଯ୍ୟ କରୁଛନ୍ତି ଏବଂ ପର୍ଯ୍ୟାୟକ୍ରମେ ବିଦ୍ୟୁତ ସଂଯୋଗ ଯୋଗାଇ ଦିଆଯିବ ବୋଲି ନବୀନ କହିଛନ୍ତି । ସଂପୂର୍ଣ୍ଣ ବିଦ୍ୟୁତ ଯୋଗାଣ ନ ହେବା ଯାଏଁ ବାତ୍ୟା ବିପନ୍ନଙ୍କ ପରିବାରକୁ ପ୍ରତି ଦଶଦିନରେ ଅଢେଇ ଲିଟର କିରୋସିନ ଓ ମହମବତୀ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।