ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟି ପରସ୍ପର ବିରୋଧରେ ଫେରାଦ ହେଲେ ବିଜେଡି ଓ ବିଜେପି । ବ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଚାଲିଥିବାବେଳେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିଲେ ବିଜେଡି ଓ ବିଜେପି ପ୍ରତିନିଧି ଦଳ । ବିଜେପି ସମ୍ବଲପୁର ଠାରେ ତାର ପ୍ରତିଶ୍ରୁତି ପତ୍ରରେ ସେଠାକାର ବସ୍ତିବାସିନ୍ଦାଙ୍କୁ ନିର୍ବାଚନ ପରେ ଜମିପଟ୍ଟା ପ୍ରଦାନ କରିବ ବୋଲି କହିବା ନିର୍ବାଚନ ଆଚରଣ ବିଧିର ଉଲଙ୍ଘନ ବୋଲି ବିଜେଡି କହିଛି । ଭାରତୀୟ ଜନତା ପାର୍ଟିର ବହୁ ହେବିୱେଟ ନେତା ଓଡିଶା ଆସୁଥିବା ବେଳେ ବିମାନ ବନ୍ଦରଠୁ ଆରମ୍ଭ କରି ରାସ୍ତାଘାଟ ସବୁଠି ହୋଡଂ ଛାଇ ହୋଇଯାଉଛି । ଏହାକୁ ନିର୍ବାଚନୀ ଆଚରଣ ବିଥିର ଅବମାନନା ବୋଲି ଦର୍ଶାଇଛି ବିଜେଡି । ସେହିପରି ରାଜ୍ୟର ଏକ ଟିଭି ଚ୍ୟାନେଲ୍ ବିଜେପି ପାଇଁ ପ୍ରଚାର କରୁଛି ବୋଲି ଅଭିଯୋଗ କରିଛି ବିଜେଡି । ଚ୍ୟାନେଲ ଉପରେ ପ୍ରତିବନ୍ଧକ ଲଗାଇବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି ବିଜେଡି ପ୍ରତିନିଧି ଦଳ ।
ଅନ୍ୟ ପକ୍ଷରେ ବିଜେପିର ଏକ ପ୍ରତିନିଧି ଦଳ ମଧ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ନିର୍ବାଚନ ସମୟରେ ହେଉଥିବା ହିଂସା ବିଜେଡି ପ୍ରାୟୋଜିତ ବୋଲି ଅଭିଯୋଗ କରିଛି । ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳି ବିଜେପି ପ୍ରାର୍ଥୀ ଜଗନାଥ ପ୍ରଧାନଙ୍କ କାର୍ଯ୍ୟାଳୟ ଉପରକୁ ବୋମା ଫିଙ୍ଗାଯିବା ଏବଂ ଜୀବନ୍ତ ବୋମା ଉଦ୍ଧାର ହେବା, ଭୁବନେଶ୍ୱର ଉତ୍ତର ବିଜେପି ପ୍ରାର୍ଥୀ ଅପରାଜିତା ମହାନ୍ତିଙ୍କ ପ୍ରଚାର ସମୟରେ ତାଙ୍କ ସମର୍ଥକଙ୍କୁ ଆକ୍ରମଣ କରାଯିବା ଏବଂ ସୋରଡାରେ ବିଜେପି କର୍ମୀ ସନ୍ତୋଷ ପତିଙ୍କୁ ହତ୍ୟା କରାଯିବା ପଛରେ ବିଜେଡି କର୍ମୀଙ୍କ ହାତ ରହିଛି ବୋଲି ବିଜେପି ଅଭିଯୋଗ କରିଛି।

LEAVE A REPLY

Please enter your comment!
Please enter your name here