ସିବିଆଇରେ ଲାଗି ରହିଥିବା ବିବାଦ ଏବେ ଉଗ୍ରରୂପ ଧାରଣ କରିଛି । ଏହା ସହିତ ରାତାରାତି ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ଛୁଟିରେ ପଠାଇବା ଘଟଣା ମାମଲାକୁ ଆହୁରି ଦ୍ୱନ୍ଦ ଭିତରକୁ ଟାଣି ନେଇଛି । ଯାହାକୁ ବିରୋଧୀ ଦଳ ଗୁଡ଼ିକ ମୁଖ୍ୟ ଅସ୍ତ୍ର କରିଛନ୍ତି । କେନ୍ଦ୍ରର ଏ ନିଷ୍ପତ୍ତି ବିରୋଧି କଂଗ୍ରେସକୁ ଖୋରାକ ଯୋଗାଇ ଦେଇଛି । ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ଶୁକ୍ରବାର କଂଗ୍ରେସ ଦିଲ୍ଲୀସ୍ଥିତ ସିବିଆଇ ମୁଖ୍ୟାଳୟ ସହିତ ଦେଶ ବ୍ୟାପୀ ଆନ୍ଦୋଳନ କରିଛି । ଓଡ଼ିଶାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଭୁବନେଶ୍ୱରସ୍ଥିତ ସିବିଆଇ କାର୍ୟ୍ୟାଳୟ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିଛନ୍ତି । ସଭାପତି କହିଛନ୍ତି ଯେ ବହୁ ଚର୍ଚ୍ଚିତ ରାଫେଲ ଦୁର୍ନିତୀକୁ ଘୋଡ଼ାଇବା ପାଇଁ କେନ୍ଦ୍ର ସରକାରଙ୍କର ଏହା ଏକ ମାଷ୍ଟର ପ୍ଲାନ । ଦେଶରେ ମୋଦୀ ଶାସନ ପ୍ରତିଷ୍ଠା କରିବାକୁ ଉଦ୍ୟମ କରୁଛନ୍ତି । ସିବିଆଇର ସର୍ବୋଚ୍ଚ ଅଧିକାରୀଙ୍କୁ ବିନା କୌଣସି ସୂଚନାରେ ରାତି ଅଧିଆ ଛୁଟିରେ ପଠାଇବା ଏବଂ ତାଙ୍କ ସ୍ଥାନରେ ନୂତନ ଅଧିକାରୀଙ୍କୁ ନିଯୁକ୍ତି ଦେବା ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ।

     ଦିଲ୍ଲୀ ରାଲିରେ ନିଜେ ରାହୁଲ ଗାନ୍ଧୀ ନେତୃତ୍ୱ ନେଇଥିଲେ। ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଦୟାଲ ସିଂହ କଲେଜ ନିକଟରୁ ରାଲି ଆରମ୍ଭ କରି କଂଗ୍ରେସ ନେତାଙ୍କ ସହ ସିବିଆଇ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । କଂଗ୍ରେସ କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇ ଆସିବା ଫଳରେ ନୂଆଦିଲ୍ଲୀର ରାଜରାସ୍ତାରେ ଯାନବାହନ ଚଳାଚଳ ସଂପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ହୋଇଛି ।  ଏବଂ ରାଜରାସ୍ତାରେ ଟ୍ରାଫିକ୍‌ ଜାମ୍‌ ହେବା ଫଳରେ ସାଧାରଣ ଜନସାଧାରଣ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ବରିଷ୍ଠ କଂଗ୍ରେସ ନେତା ଅଶୋକ ଘେଲୋଟ, ଅହେମ୍ମଦ ପଟେଲ ଓ ପ୍ରମୋଦ ତିଓ୍ଵାରୀ ପ୍ରମୁଖ ଦିଲ୍ଲୀର ସିବିଆଇ ମୁଖ୍ୟାଳୟ ସମ୍ମୁଖରେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ପୁଣି ଥରେ ସିବିଆଇ ନିର୍ଦ୍ଦେଶକ ପଦବୀରେ ଅବସ୍ଥାପିତ କରିବା ପାଇଁ ଦାବି କରି ବିକ୍ଷୋଭ କରିଥିଲେ ।  ଏହି ସମୟରେ ଲୋଧିରୋଡ୍‌ ଥାନା ପୁଲିସ୍‌ ରାହୁଲଙ୍କ ସମେତ ଅନ୍ୟ କଂଗ୍ରେସ ନେତାଙ୍କୁ ଗିରଫ କରିଥିଲା । ପରେ ସେମାନଙ୍କୁ ଛାଡି ଦିଆଯାଇ ଥିବା ସୂଚନା ମିଳିଛି । 
ରାହୁଲ ଅଭିଯୋଗ କରିଛନ୍ତି ଯେ, ରାଫେଲ ସୌଦାରେ ଅନୀଲ ଅମ୍ବାନୀଙ୍କୁ ଲାଭ ହୋଇଛି । ରାଫେଲ ସୌଦା ଯାଂଚରୁ ବର୍ତିବା ପାଇଁ କେନ୍ଦ୍ର ରାତାରାତି ସିବିଆଇର ଦୁଇ ବରିଷ୍ଠ ଅଧିକାରୀଙ୍କୁ ହଟାଇ ଦେଲା । କିନ୍ତୁ କଂଗ୍ରେସ ଚୌକିଦାରକୁ ଚୋରୀ କରିବାକୁ ଦେବ ନାହିଁ । ମୋଟାମୋଟି ଭାବେ କହିବାକୁ ଗଲେ ସେ ମୋଦିଙ୍କୁ ଚୌକିଦାର ଚୋର ବୋଲି କହିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ପୁଣି କହିଛନ୍ତି କି, ହିନ୍ଦୁସ୍ତାନର ପ୍ରତ୍ୟେକ ଅନୁଷ୍ଠାନ ଉପରେ ନରେନ୍ଦ୍ର ମୋଦୀ ଆକ୍ରମଣ କରୁଛନ୍ତି । ସେ ଅନୀଲ ଅମ୍ବାନୀଙ୍କ ପକେଟରେ ଟଙ୍କା ଦେଉଛନ୍ତି । ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ବଦଳି ନିଷ୍ପତିରେ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ରାହୁଲ ଦାବୀ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here