ଭୁବନେଶ୍ବର : ସିଧାସଳଖ ରାଜନୀତିକୁ ଆଉ ଫେରିବେନି । କିନ୍ତୁ ରାଜନୀତି କରିବେ । ଖାତା ଖତିୟାନରେ ତାଙ୍କ ନାଁ ରହିବନି । କିନ୍ତୁ ତାଙ୍କ ଇସାରାରେ ସବୁ ହେବ । ଏବେ ଏମିତି ଆଭାସ ମିଳୁଛି ନବୀନ ନିବାସରୁ । ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ହେବେ ପାଣ୍ଡିୟାନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ । ଦଳ ଭିତରେ ପାଣ୍ଡିୟାନ ବିରୋଧୀ ସ୍ବର ତୀବ୍ର ହେଉଥିବା ବେଳେ ବିଜେଡି ରାଜନୀତିରେ ନୂଆ ଗୋଟି ଚଳାଇଛନ୍ତି ପାଣ୍ଡିୟାନ । ନିକଟରେ ଆଇଏଏସ ଚାକିରୀରୁ ଭିଆରଏସ ନେଇଥିବା ସୁଜାତା ରାଜନୀତି କରିବେ । ଯଦିଓ ଆନୁଷ୍ଠାନିକ ଭାବେ ଏ ସଂପର୍କରେ କିଛି ଘୋଷଣା ହୋଇନି, କିନ୍ତୁ ସେଥିପାଇଁ ସଜବାଜ ଆରମ୍ଭ ହୋଇଛି । ଦଳର ସଭାପତି ରହିବେ ନବୀନ । ତାଙ୍କ ଉତ୍ତରାଧିକାରୀ ଭାବେ ସୁଜାତା ଦଳ ସମ୍ଭାଳିବେ । ତା ପୂର୍ବରୁ ସବୁ ଜିଲ୍ଲାର ସଭାପତି ପଦରେ ପାଣ୍ଡିୟାନଙ୍କ ଅନୁଗତଙ୍କୁ ନିଯୁକ୍ତି ମିଳିବ । କେହି ଯେମିତି ଉତ୍ତରାଧିକାରୀ ଚୟନକୁ ବିରୋଧ କରିବେନି, ସେଥିପାଇଁ ଚାଲିଛି ରଣନୀତି ପ୍ରସ୍ତୁତି । ନବୀନଙ୍କ ଉତ୍ତରାଧିକାରୀ ଚୟନ ଓ ଆନୁଷ୍ଠାନିକ ଘୋଷଣା ପ୍ରକ୍ରିୟା ପାଇଁ ସମୟ ଲାଗିବ । ତେବେ ଦଳ ଭିତରେ ଥିବା ସବୁ ଅସନ୍ତୋଷ ଓ ବିରୋଧକୁ ମ୍ୟାନେଜ୍ କରିବା ପାଇଁ ଦାୟିତ୍ବ ନେଇଛନ୍ତି ବବି । ସେ ପାଣ୍ଡିୟାନଙ୍କ ଅନୁଗତ ଭାବେ ସୁଜାତାଙ୍କୁ ସହଯୋଗ କରିବେ । ପାଣ୍ଡିୟାନଙ୍କ ଏମିତି ବ୍ଲୁ ପ୍ରିଣ୍ଟକୁ ନବୀନ ମଂଜୁରୀ ଦେଇଥିବା ସୂଚନା ମିଳୁଛି । ନବୀନଙ୍କ ଆନୁଷ୍ଠାନିକ ଘୋଷଣା ପରେ ତୁଣ୍ଡ ଖୋଲୁଥିବା ଦଳର ପୁରୁଖା ନେତାଙ୍କ ପାଟି ବି ଚୂପ୍ ହୋଇଯିବ ।