ଅନୁଗୁଳର ସାତକୋଶିଆ ଜଙ୍ଗଲରେ ପହଞ୍ଚିବାର କିଛି ଦିନ ପରେ ବଦନାମ ହେଲା ଜଙ୍ଗଲରାଣୀ ‘ସୁନ୍ଦରୀ’ । ତେବେ ଯେଉଁ ମଣିଷମରା ସୁନ୍ଦରୀକୁ ଧରିବା ପାଇଁ ବନବିଭାଗ କୁମ୍‌କୀ ହାତୀ ‘ଯଶୋଦା’କୁ ବ୍ୟବହାର କରିଥିଲେ, ସେହି ଯଶୋଦା ଏବେ ମଣିଷ ମାରିଛି । ଆଜି ସକାଳେ ଯଶୋଦା ନିଜ ସହଯୋଗୀ ମାହୁନ୍ତକୁ ମାରିଦେଇଛି । ମାହୁନ୍ତ ସୁଧୀର ପ୍ରଧାନ ଯଶୋଦାକୁ ଖାଇବାକୁ ଦେଲାବେଳେ କଚାଡି ମାରିଦେଇଛି ଯଶୋଦା । ଖବର ପାଇ ବନବିଭାଗ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ସୁଚନାଅନୁସାରେ ଗତ ୬ ତାରିଖ ଦିନ ସାତକୋଶିଆର ମଝିପଡ଼ା ଜଙ୍ଗଲରେ କୁମକୀ ହାତୀ ‘ଯଶୋଦା’ ପିଠିରୁ ବନବିଭାଗର ନିଶ୍ଚେତକମାନେ ବାଘୁଣୀ‘ ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍‌ କରିବା ପାଇଁ ଲକ୍ଷ୍ୟଭେଦ କରିବାରେ ସଫଳ ହୋଇଥଲେ । ତା ପରେ ହାତୀ ଯଶୋଦା ମଧ୍ୟ ପ୍ରଶଂସାର ପାତ୍ରୀ ହୋଇଥିଲା । ଯଶୋଦା ସହାୟତାରେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍‌ କରାଯିବା ପରେ ଯଶୋଦାକୁ ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ ମୁଣ୍ଡାସାହି ନିକଟରେ ବାନ୍ଧି ରଖାଯାଇଥିଲା। ତେବେ ଆଜି ସକାଳୁ ସେହି ମୁଣ୍ଡାସାହିର ମାହୁନ୍ତ ସୁଧୀର ପ୍ରଧାନ ଯଶୋଦାକୁ ଖାଇବାକୁ ଦେଲାବେଳେ ଯଶୋଦା ସୁଧୀରଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେବା ସହିତ ତାଙ୍କ ମୁଣ୍ଡକୁ ପାଦରେ ଦଳି ଦେଇଥିବା ସୂଚନା ମିଳିଛି ।