ସୁପ୍ରିମକୋର୍ଟରେ ହାଜର ହେଲେ ଡିଜିପି । ଭିଡିଓ କନଫରେନ୍ସିଂ ଜରିଆରେ ପୋଲିସ ଡିଜି ସୁପ୍ରିମକୋର୍ଟରେ ହାଜର ହୋଇ ନିଜ ମତ ରଖିଛନ୍ତି । ପଶ୍ଚିମ ଓଡିଶାରେ ଓକିଲ ଆନ୍ଦୋଳନ ନିୟନ୍ତ୍ରଣ କରିବାରେ ଓଡିଶା ପୋଲିସର ବିଫଳତା ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ । ଆନ୍ଦୋଳନ ନାଁରେ ଓକିଲମାନେ ସହରରେ କରୁଥିବା ଭଙ୍ଗାରୁଜା, ପୋଡାଜଳା କାର୍ଯ୍ୟକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ । ଏପରିକି ଆବଶ୍ୟକ ହେଲେ ଆନ୍ଦୋଳନରତ ଓକିଲଙ୍କୁ ଗିରଫ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଏହାସତ୍ତ୍ବେ ଓକିଲ ଆନ୍ଦୋଳନ ଥମୁ ନ ଥିବାରୁ ସୁପ୍ରିମକୋର୍ଟ ଓଡିଶା ପୋଲିସ ଡିଜି ଓ ଉତ୍ତରାଞ୍ଚଳ ଆଇଜିଙ୍କୁ ଆଜି ଭିସି ଜରିଆରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ ।
ଆଜି ଭିସି ଜରିଆରେ ଡିଜିପି ଓ ଆଇଜି ହାଜର ହୋଇ ଆନ୍ଦୋଳନ ବେଳେ ଭଙ୍ଗାରୁଜା ହୋଇଥିବା ଏବଂ ଭଙ୍ଗାରୁଜାରେ ସଂପୃକ୍ତ ଓକିଲଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ସଂପର୍କରେ ଜଣାଇଥିଲେ । ତେବେ ଘଟଣାସ୍ଥଳରେ 15 ପ୍ଲାଟୁନ ଫୋର୍ସ ମୁତୟନ ଥିବା ସତ୍ତ୍ବେ କାହିଁକି ଭଙ୍ଗାରୁଜା ହେଲା ବୋଲି କୋର୍ଟ ପ୍ରଶ୍ନ କରିଥିଲେ । ତୁମେ ଏହିଭଳି ଆନ୍ଦୋଳନ ନିୟନ୍ତ୍ରଣ କରୁଛ ବୋଲି କୋର୍ଟ କଟାକ୍ଷ କରିବା ସହ ଆନ୍ଦୋଳନ ମୁକାବିଲାରେ ପୋଲିସ ବିଫଳ ହୋଇଥିବା ନେଇ କୋର୍ଟ କହିଛନ୍ତି । ଯଦି ଓଡିଶା ପୋଲିସ ଠିକଭାବେ ମୁକାବିଲା କରିପାରୁନି, ତେବେ କହିଲେ କୋର୍ଟ ପାରା ମିଲିଟାରୀ ଫୋର୍ସ ପଠାଇବେ ବୋଲି କହିଛନ୍ତି ।