ଶ୍ରୀମନ୍ଦିର ଏବେ କାହା ନିୟନ୍ତ୍ରଣରେ ? ସରକାର ନା ସେବାୟତ ? ଗତକାଲିର ଘଟଣାରୁ ଯାହା ଜଣାପଡୁଛି, ଶ୍ରୀମନ୍ଦିର ଆଉ ସରକାରଙ୍କ ଆୟତ୍ତରେ ନାହିଁ ! ସେବାୟତ ଯେତେବେଳେ ଯାହା ଚାହିଁବେ, ତାହା କରିବେ. ସତେ ଯେମିତି ସେବାୟତମାନେ ସରକାର ଓ ସବୁ ନିୟମ କାନୁନ ଠାରୁ ଉପରେ. ତାଙ୍କ ବିରୋଧରେ କିଛି କେହି କିଛି କରିପାରିବେ ନାହିଁ  ଶ୍ରୀମନ୍ଦିରରେ ବାରମ୍ବାର ବିଶୃଙ୍ଖଳା ଘଟିବା ଏବଂ ସରକାର ଚୁପ୍ ରହିବା ଏକଥାକୁ ସ୍ପଷ୍ଟ କରୁଛି. ଗତକାଲିର ଘଟଣା ମଧ୍ୟ ପୁଣିଥରେ ପ୍ରମାଣ କରିଦେଇଛି ଯେ, ସେବାୟତଙ୍କ ମନମାନିରେ ଶ୍ରୀମନ୍ଦିର ଚାଲିବ. ସେମାନେ ଯେତେବେଳେ ଚାହିଁବେ ତିନିଠାକୁରଙ୍କ ନୀତିକାନ୍ତି କରିବେ, ଯେତେବେଳେ ଚାହିଁବେ ବନ୍ଦ କରିଦେବେ. ସେବାୟତଙ୍କ ମନମାନି ଆଗରେ କାହାରି ହୁକୁମ ଚାଲିପାରିବନି. ଶ୍ରୀମନ୍ଦିର ପରିଚାଳନା ପାଇଁ ଥିବା ଶ୍ରୀମନ୍ଦିର ପ୍ରଶାସନ କେବଳ ନାମମାତ୍ର ସଂସ୍ଥା. ସକାଳ ପହରୁ ଶ୍ରୀମନ୍ଦିରରେ ନୀତିକାନ୍ତି ବନ୍ଦ ହୋଇଗଲା, ମଙ୍ଗଳ ଆଳତୀ ହେଲାନାହିଁ, ସେବାୟତମାନେ ପୂର୍ବଦିନ ରାତିରେ ନେଇଥିବା ନିଷ୍ପତ୍ତି ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ତଥା ସରକାରଙ୍କ କାନ ଯାଏଁ ପହଞ୍ଚି ପାରିଲାନି. ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ସମସ୍ୟାର ସମାଧାନ ପାଇଁ କେବଳ ଥରକୁ ଥର ସେବାୟତଙ୍କ ସହ ଆଲୋଚନା କଲେ ସିନା, କିନ୍ତୁ ସନ୍ଧ୍ୟା ଯାଏ ସମାଧାନର ବାଟ କାଢି ପାରିଲେନି. ଏମିତିକି ଶ୍ରୀମନ୍ଦିର ପ୍ରଶାସକ ସେବାୟତଙ୍କ ବିବେକ ଉପରେ ଛାଡି ଦିଆଗଲା ବୋଲି କହିଲେ. ଅର୍ଥାତ ଶ୍ରୀମନ୍ଦିର କି ସେବାୟତଙ୍କ ଉପରେ ଶ୍ରୀମନ୍ଦିର ପ୍ରଶାସନର କୌଣସି କର୍ତ୍ତୃତ୍ବ ନାହିଁ. ଜିଲ୍ଲାପାଳଙ୍କ ଅନୁରୋଧକୁ ସେବାୟତ ଖାତିର ବି କଲେନି. ବରଂ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆସିଥିବା ଭକ୍ତଙ୍କୁ ପୁରୀ ସମୁଦ୍ରକୁଳ ବୁଲିବାକୁ ପରାମର୍ଶ ଦେଲେ. ପରିସ୍ଥିତିକୁ ଅତି ହାଲକା ଭାବେ ନିଆଗଲା. ଏମିତି ଘଟଣା ଆଗରୁ ବି ଘଟିଛି, ତେଣୁ ଏଥିରେ ବିଚଳିତ ହେବାର କିଛି ନାହିଁ ବୋଲି ଧାରଣା ଦିଆଗଲା. ସେବାୟତଙ୍କ ଜିଦ ଆଗରେ ପ୍ରଶାସନ ଅସହାୟ ହୋଇପଡିଲା. ଏମିତିକି ପ୍ରଭୁ ଶ୍ରୀଜଗନ୍ନାଥ ଯାହା କରିବେ ବୋଲି କୁହାଗଲା. ଗଜପତି ମହାରାଜଙ୍କ ପାଖରେ ପ୍ରତିକ୍ରିୟା ଦେବା ଛଡା ଆଉ ବାଟ କିଛି ବି ନଥିଲା. କୋଟି ଓଡିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ବିଶୃଙ୍ଖଳା ଦୂର ପାଇଁ ସରକାର ହସ୍ତକ୍ଷେପ କରନ୍ତୁ ବୋଲି ଗଜପତି କହିବା ପରେ ବି ସ୍ଥିତିରେ କୌଣସି ସୁଧାର ଆସି ନଥିଲା. ପ୍ରାୟ ଦଶ ଘଣ୍ଟା ଯାଏ ଶ୍ରୀମନ୍ଦିରରେ ଅଚଳାବସ୍ଥା ଲାଗି ରହିବା ପରେ ବି ଆଇନ ମନ୍ତ୍ରୀ ପ୍ରତାପ ଜେନା ସରକାର ସ୍ଥିତି ଉପରେ ନଜର ରଖିଛନ୍ତି ବୋଲି ବୟାନ ଦେବା ନିଜର ଦୋଷ ଦୁର୍ବଳତାକୁ ପଦାରେ ପକାଇବା ଛଡା ଆଉ କିଛି ନୁହେଁ. ହଜାର ହଜାର ଶ୍ରଦ୍ଧାଳୁ ଆରାଧ୍ୟ ଦେବତାଙ୍କ ଦର୍ଶନରୁ ବଞ୍ଚିତ ହେଲେ କାହିଁକି ?  କାହିଁକି ତିନି ଠାକୁରଙ୍କୁ 12 ପ୍ରଶ୍ନ ଉଠୁଛି, କଣ ପାଇଁ ସେବାୟତଙ୍କ ଜିଦ ଆଗରେ ମୁଣ୍ଡ ନୁଆଁଉଛି ପ୍ରଶାସନ ? କୋଟି କୋଟି ଓଡିଆଙ୍କ ଆରାଧ୍ୟ ଦେବତାଙ୍କୁ ବାର / ତେର ଘଣ୍ଟା ଧରି ଉପବାସରେ କାହିଁକି ରଖାଗଲା ?  ତିନି ଠାକୁର କାହାର ?  ଶ୍ରୀମନ୍ଦିର ପରିଚାଳନାର ଉତ୍ତରଦାୟିତ୍ବ ସରକାରଙ୍କର . ମାତ୍ର ବିଭାଗୀୟ ମନ୍ତ୍ରୀ, ଜିଲ୍ଲାପାଳ ଓ ଶ୍ରୀମନ୍ଦିର ପ୍ରଶାସକ ଦିନ ତମାମ ଆଲୋଚନା ନାଁରେ ଉପରକୁ ହାତ ଟେକିଦେଲେ. ଚାରି କୋଟି ଓଡିଆଙ୍କ ଭାବାବେଗକୁ ଆଘାତ ଦିଆଗଲା. ପୋଲିସ ଓ ସେବାୟତଙ୍କ ମଧ୍ୟରେ ବିବାଦକୁ ନେଇ ସେବାୟତମାନେ କେମିତି ତିନି ଠାକୁରଙ୍କୁ ଦିନ ତମାମ ଉପବାସରେ ରଖି ପାରିଲେ, ତାହା ଏବେ ସମସ୍ତଙ୍କ ମନକୁ ଆନ୍ଦୋଳିତ କରୁଛି. ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଚତୁର୍ଦ୍ଧାମୂର୍ତ୍ତିଙ୍କ ରୀତିନୀତି ବନ୍ଦ କରିଦେବା ଏବଂ ଠାକୁରଙ୍କୁ ଅପୂଜା ରଖୁଥିବା ସେବାୟତ, ସେବାୟତ ପାଇଁ ଯୋଗ୍ୟ କି ? ଯଦି ସରକାର ଏହାକୁ ଗୁରୁତ୍ବର ସହ ନେଉଥାନ୍ତି, ତେବେ ଏଭଳି ବିଶୃଙ୍ଖଳାର ନେତୃତ୍ବ ନେଇଥିବା ସେବାୟତଙ୍କ ବିରୋଧରେ କଠୋର କାର୍ଯ଼୍ୟାନୁଷ୍ଠାନ ନେବାର  ଆବଶ୍ୟକ ରହିଛି.

LEAVE A REPLY

Please enter your comment!
Please enter your name here