ଓଡିଶା ପ୍ରଦେଶ କଂଗ୍ରେସ କମିଟିକୁ ଏଆଇସିସି ଭଙ୍ଗ କରିଛି । ପିସିସି ସଭାପତି ପଦ ସମେତ ଓଡିଶା ପ୍ରଦେଶ କଂଗ୍ରେସର ସମସ୍ତ ସାଙ୍ଗଠନିକ କମିଟିକୁ ମଧ୍ୟ ଭଙ୍ଗ କରାଯାଇଛି । ନୂଆ କମିଟି ପୁର୍ନଗଠନ କରାଯିବ । ତେବେ ନୂତନ ପିସିସି ସଭାପତି ନିଯୁକ୍ତ ହେବା ପର୍ଯ୍ୟନ୍ତ ଦଳର ଜିଲ୍ଲା ସଭାପତିମାନେ କାମଚଳା ସଭାପତି ଭାବେ କାର୍ଯ୍ୟ କରିବେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ଗତ ସାଧାରଣ ନିର୍ବାଚନ ପରେ ଦଳୀୟ ଫଳାଫଳକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ବିରୋଧରେ ଅନେକ ଦଳୀୟ ନେତା ବିଷୋଦଗାର କରିଥିଲେ । ପିସିସି ସଭାପତି ଟଙ୍କା ନେଇ ଦଳୀୟ ଟିକଟ ବିକି ଦେଇଥିବା ଆରୋପ ମଧ୍ୟ ହୋଇଥିଲା । ଏବେ ଏଆଇସିସି ପ୍ରଦେଶ କଂଗ୍ରେସ କମିଟି ଭଙ୍ଗ କରିଥିବାରୁ ନୂଆ ପିସିସି ସଭାପତି ପଦକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କେନ୍ଦ୍ରୀୟ ନେତୃତ୍ବ ଓଡିଶାରେ କଂଗ୍ରେସ ସଂଗଠନ ସଜାଡିବା ପାଇଁ କାହାକୁ ଦାୟିତ୍ବ ଦେବେ, ତାହା ଏବେ ବଡ ପ୍ରଶ୍ନ । ଗତ ଦୁଇ ଦଶନ୍ଧି ଧରି କଂଗ୍ରେସର ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି । ଏଭଳି ପରିସ୍ଥିତିରେ କଂଗ୍ରେସ ଜଣେ ଦକ୍ଷ ନେତୃତ୍ବ ଆବଶ୍ୟକ କରୁଛି ।