ହାତରେ ଲଙ୍ଗଳ, ମୁଣ୍ଡରେ ଠେକା । ବର୍ଷା ଆସିବା ପୂର୍ବରୁ ଚଷାପୁଅ ଲାଗି ଯାଇଛି ଚାଷ କାମରେ । ଠିକ୍ ସମୟରେ ଜମିକୁ ହଳ ନକଲେ ଚାଷ ସମୟ ଗଡିଯିବ । ସେଥିପାଇଁ ମନ୍ତ୍ରୀ ଦପ୍ତରରୁ କିଛି ସମୟ ବାହାର କରିଛନ୍ତି ମନ୍ତ୍ରୀ ଜଗନ୍ନାଥ ସାରକା । ଏଥର ନବୀନଙ୍କ ମନ୍ତ୍ରୀମଣ୍ଡଳରେ ଆଦିବାସୀ କଲ୍ୟାଣ ବ୍ୟାପାର ମନ୍ତ୍ରୀ ହୋଇଥିବା ବିଷମକଟକ ବିଧାୟକ ଜଗନ୍ନାଥ ସାରକା ମନ୍ତ୍ରୀ ହେବା ପରେ ବି ଭୁଲି ନାହାନ୍ତି ନିଜ ପାରଂପରିକ ବୃତ୍ତିକୁ । ସମିତି ସଭ୍ୟରୁ ରାଜନୀତିରେ କ୍ୟାରିଅର ଆରମ୍ଭ କରିଥିବା ଜଗନ୍ନାଥ ସାରକା ଆଦିବାସୀ ଅଧୂଷିତ ଅଞ୍ଚଳରେ ଶିକ୍ଷାଲାଭ କରିବା ପରେ ଓକିଲାତିକୁ କିଛିବର୍ଷ ପାଇଁ ପେସା ରୂପେ ଗ୍ରହଣ କରିଥିଲେ । ପରେ ସେ ଝିଗିଡି ଗ୍ରାମପଞ୍ଚାୟତରୁ ସମିତି ସଭ୍ୟ ହୋଇଥିଲେ । ୨୦୦୨ ରେ ସରପଞ୍ଚ ଓ ୨୦୦୭ ରେ ଜିଲ୍ଲା ପରିଷଦ ସଭ୍ୟରୁ ଅଧକ୍ଷ ହୋଇଥିଲେ ସେ । ନିଜର କର୍ତ୍ତବ୍ୟନିଷ୍ଠା ଓ ଲୋକପ୍ରିୟତା ପାଇଁ ୨୦୧୪ରୁ ବିଷମକଟକ ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଆସୁଛନ୍ତି । ହେଲେ ବିଭିନ୍ନ ପଦପଦବୀରେ ରହି କାର୍ଯ୍ୟ କରୁଥିବା ବେଳେ ବି ସେ ନିଜ ପାରଂପରିକ ଚାଷବାସକୁ କେବେ ଅଣଦେଖା କରିନାହାନ୍ତି । ମନ୍ତ୍ରୀ ହେବା ପରେ ପୂର୍ବ ଭଳି ଯଦିଓ ତାଙ୍କୁ ସମୟ ମିଳିବନି, ତଥାପି ସେଥିରୁ ସମୟ ବାହାର କରି ଚାଷବାସ କରିବେ ବୋଲି କହିଛନ୍ତି ଜଗନ୍ନାଥ । ପାଠଶାଠ ପଢି ଚାକିରୀବାକିରୀ କରିବା ପରେ ଚାଷ କାମକୁ ତଳେଇ କରି ଦେଖୁଥିବା ଉଚ୍ଚଶିକ୍ଷିତ ଯୁବକଙ୍କ ପାଇଁ ଏବେ ଜଗନ୍ନାଥ ସାରକା ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ।
ରାୟଗଡାରୁ ସ୍ମୃତି ରଂଜନ ମହାନ୍ତିଙ୍କ ରିପୋର୍ଟ, ତକ୍ଷକ ନ୍ୟୁଜ୍

LEAVE A REPLY

Please enter your comment!
Please enter your name here