ଜଣେ ଝିଅ ହିଁ ଆଉ ଜଣେ ଝିଅର ଦୁଃଖ ସହଜରେ ବୁଝିପାରେ । ପୁଣି ଗର୍ଭବେଦନାର ଯନ୍ତ୍ରଣା କେବଳ ଜଣେ ନାରୀ ହିଁ ଅନୁଭବ କରିପାରେ । ମାତ୍ର ସେମିତି ହେଲାନି । ଖାକି ବର୍ଦ୍ଦି ପିନ୍ଧିଥିବା ଜଣେ ମହିଳା ପୋଲିସ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ଆଉ ଜଣେ ମହିଳାଙ୍କ କଷ୍ଟ ବୁଝି ପାରିଲାନି । ଚାରିଘଣ୍ଟାକାଳ ଥାନାରେ ଅଟକ ରହିବାକୁ ପଡିଲା । କେବଳ ଅଟକ ନୁହେଁ, ମହିଳାଙ୍କୁ ତିନି କିଲୋମିଟର ରାସ୍ତା ଚାଲି ଚାଲି ଥାନାକୁ ଆସିବାକୁ ପଡିଲା । ମାତ୍ର ଗର୍ଭବତୀ ମହିଳାଙ୍କ ଭୁଲ୍ କଣ ଥିଲା, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଆଦିବାସୀ ଜନଜାତି ହୋ ସଂପ୍ରଦାୟର ବିକ୍ରମ ବିରୁଲି ତାଙ୍କ ଗର୍ଭବତୀ ପତ୍ନୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ବାଇକରେ ଉଦଳା ମେଡିକାଲକୁ ନେଉଥିଲେ । ବାଟରେ ହେଲମେଟ୍ ଚେକିଂ କରୁଥିଲା ପୋଲିସ । ବିକ୍ରମ ଯଦିଓ ହେଲମେଟ୍ ଓ ମାସ୍କ ପିନ୍ଧିଥିଲେ, କିନ୍ତୁ ପତ୍ନୀ ଗୁରୁବାରୀ ଅସୁସ୍ଥତା ପାଇଁ ହେଲମେଟ୍ ପିନ୍ଧି ନ ଥିଲେ । ପୋଲିସ ବିକ୍ରମଙ୍କୁ ଫାଇନ କରିବା ସହ ଟଙ୍କା ଦେବାକୁ କହିଲା । କିନ୍ତୁ ବିକ୍ରମଙ୍କ ପାଖରେ ଟଙ୍କା ନ ଥିବାରୁ ସେ ପରେ ଡିପୋଜିଟ୍ କରିବେ ବୋଲି କହିଥିଲେ । ହେଲମେଟ୍ ଚେକିଂ କରୁଥିବା ମହିଳା ପୋଲିସ ଅଧିକାରୀ ବି ବିକ୍ରମ କି ଗୁରୁବାରୀଙ୍କ କଥା ଶୁଣିଲେନି । ଗର୍ଭବତୀ ମହିଳାଙ୍କୁ ରାସ୍ତାରେ ଛାଡି ପୋଲିସ ବିକ୍ରମଙ୍କୁ ଥାନାକୁ ନେଇଗଲା । କିଛି ଉପାୟ ନ ପାଇଁ ଗୁରୁବାରୀ ତିନି କିଲୋମିଟର ରାସ୍ତା ଚାଲି ଚାଲି ଥାନାରେ ପହଞ୍ଚିଥିଲେ । ଥାନାରେ ଚାରିଘଣ୍ଟା ଅଟକ ରଖିବା ପରେ ପୋଲିସ ସେମାନଙ୍କୁ ଛାଡିଥିଲା । ତେବେ ମହିଳା ପୋଲିସ ଅଧିକାରୀଙ୍କ ଅମାନବିକ ଆଚରଣ ସଂପର୍କରେ ଏସଡିପିଓଙ୍କ ନିକଟରେ ଅଭିଯୋଗ କରିବା ପରେ ମହିଳା ଥାନା ଅଧିକାରୀଙ୍କୁ ଏସପି ନିଲମ୍ବିତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here