ୟୁକ୍ରେନ୍ ଓ ଋଷ ଯୁଦ୍ଧ ଭିତରେ ଶାନ୍ତି ପ୍ରତିଷ୍ଠା ପାଇଁ ହେଉଥିବା ପ୍ରୟାସ ବିଫଳ ହେଉଛି । ରବିବାର ୟୁକ୍ରେନ୍ ୩୪ତମ ସ୍ଵାଧୀନତା ଦିବସ ପାଳୁଥିବା ବେଳେ ଋଷର ପରମାଣୁ କେନ୍ଦ୍ର ଉପରେ ହୋଇଛି ଡ୍ରୋନ୍ ଆକ୍ରମଣ । ଏହି ଆକ୍ରମଣ ଋଷର ପଶ୍ଚିମ କୁର୍ସ୍କରେ ଥିବା ଏକ ପରମାଣୁ କେନ୍ଦ୍ର ଉପରେ ହୋଇଛି । ଡ୍ରୋନ୍ ଆକ୍ରମଣ ପରେ ପ୍ଲାଣ୍ଟରେ ନିଆଁ ଲାଗି ଯାଇଛି । ଏହି ଆକ୍ରମଣ ପାଇଁ ୟୁକ୍ରେନ୍କୁ ଦାୟୀ କରିଛି ଋଷ ।
ଋଷ ଅଧିକାରୀଙ୍କ ଅନୁସାରେ, ସାରା ରାତି ଆକ୍ରମଣ ହୋଇଥିବା ବେଳେ ବିଦ୍ୟୁତ୍ ଭିତ୍ତିଭୂମି ଓ ପରମାଣୁ କେନ୍ଦ୍ରକୁ ଟାର୍ଗେଟ୍ କରାଯାଇଛି । ଆକ୍ରମଣ ପରେ ପରମାଣୁ କେନ୍ଦ୍ରରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇଥିବା ଋଷ କହିଛି । ତେବେ ଡ୍ରୋନ୍ ଆକ୍ରମଣରେ ଟ୍ରାନ୍ସଫର୍ମର କ୍ଷତିଗ୍ରସ୍ତ ହୋଇଥିବା ବେଳେ ରାଡିଏସନ୍ ସ୍ତର ସାମାନ୍ୟ ସୀମା ଭିତରେ ରହିଛି । ସେପଟେ ଋଷର ଅଭିଯୋଗ ନେଇ ଏଯାଏଁ ମୁହଁ ଖୋଲିନି ୟୁକ୍ରେନ୍ । ଅନ୍ୟପଟେ ୟୁକ୍ରେନ୍ର ଆକ୍ରମଣ ଫଳରେ ଉସ୍ତ-ଲୁଗା ବନ୍ଦରରେ ଲାଗିଥିବା ନିଆଁ ଏବେ ଆୟତ୍ତକୁ ଆସିଛି । ସ୍ଥାନୀୟ ରାଜ୍ୟପାଳ କହିଛନ୍ତି, ପ୍ରାୟ ୧୦ଟି ୟୁକ୍ରେନ୍ ଡ୍ରୋନ୍କୁ ସେନା ଖସାଇ ଦେଇଥିବା ବେଳେ ତାର ଭଗ୍ନାଂଶରୁ ନିଆଁ ଲାଗିଥିଲା । ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ, ରବିବାର ରାତି ସୁଦ୍ଧା ପ୍ରାୟ ୯୫ଟି ୟୁକ୍ରେନ୍ ଡ୍ରୋନ୍କୁ ନଷ୍ଟ କରି ଦିଆଯାଇଛି ।














