ରାଷ୍ଟ୍ରପତିଙ୍କ ଦ୍ବାରା ମନୋନୀତ ହେବା ପରେ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର ଦ୍ବିତୀୟ କୋଣାର୍କ କରିବା ପାଇଁ ବ୍ୟାକୁଳ ହୋଇଉଠିଛନ୍ତି । ପୂର୍ବରୁ ଯଦିଓ ସେ ଦ୍ବିତୀୟ କୋଣାର୍କ ନିର୍ମାଣ କଥା କହିଆସୁଥିଲେ, ଏବେ କିନ୍ତୁ ସେ ନିଜକୁ ବିଶୁ ମହାରଣା ଏବଂ ତାଙ୍କୁ ରାଜ୍ୟସଭାକୁ ପଠେଇବାରେ ସାହାଯ୍ୟ କରିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଲାଙ୍ଗୁଳା ନରସିଂହ ଦେବ ଭାବେ ବିବେଚନା କରିବାକୁ ପଛେଇ ନାହାଁନ୍ତି। ଯୁଗ ଯୁଗ ଧରି କୋଣାର୍କ ଓଡିଶାର ଉତ୍କର୍ଷ କଳା ଓ ଭାସ୍କର୍ଯ୍ୟର କୀର୍ତ୍ତିରାଜି ବହନ କରିଆସୁଛି। କୋଣାର୍କର ଇତିହାସ ଓଡିଆର ଅସ୍ମିତାକୁ ବିଶ୍ବରେ ପରିଚିତ କରାଇଛି। କୋଣାର୍କ ବିଶ୍ବରେ ଅଦ୍ବିତୀୟ ଓ ସପ୍ତାଶ୍ଚର୍ଯ୍ୟ ମଧ୍ୟରେ ଅନ୍ୟତମ । ପଦ୍ମ ବିଭୂଷଣ ଶ୍ରୀ ରଘୁନାଥ ମହାପାତ୍ରଙ୍କ ଦକ୍ଷତାକୁ ନେଇ କେହି ପ୍ରଶ୍ନ ଉଠାଉନାହାଁନ୍ତି । ସେ ଚାହିଁଲେ ଆଉ ଏକ ଚମତ୍କାର ମନ୍ଦିର ନିର୍ମାଣ କରିବାର ପରିକଳ୍ପନା କରନ୍ତୁ । କିନ୍ତୁ ସେ ତାହା ନକରି କୋଣାର୍କ ମନ୍ଦିରର ନକଲ କରିବାକୁ ମନ ବଳେଇବା ଓଡିଶାର ଗୌରବମୟ ଗାରିମା ଉପରେ କୁଠାରଘାତ ନୁହେଁ କି ?  କୋଣାର୍କର କିମ୍ଦଦନ୍ତୀ ପୁରୁଷ ଧର୍ମପଦ ଓ ବିଶୁ ମହାରଣାଙ୍କ ପ୍ରତି ଏହା ଉପହାସ ନୁହେଁ କି ? ପୁରୀରେ ଦ୍ବିତୀୟ ଶ୍ରୀଜଗନ୍ନାଥ ମନ୍ଦିରର ପରିକଳ୍ପନା କରିଥିବା ଇସ୍କନ ସଂସ୍ଥା ବିରୋଧରେ ପ୍ରତିବାଦର ସ୍ବର ଉଠିଥିଲା । ତେଣୁ ଶ୍ରୀ ରଘୁନାଥ ମହାପାତ୍ର କୋଣାର୍କର ନାଁ ନନେଇ ଆଉ ଏକ ସୁରମ୍ୟ ମନ୍ଦିରର ପରିକଳ୍ପନା କରନ୍ତୁ, ଯାହାକୁ ନେଇ ସମଗ୍ର ବିଶ୍ବ ଦରବାରରେ ଓଡିଶା ଗର୍ବିତ ହେବ ।

LEAVE A REPLY

Please enter your comment!
Please enter your name here