ମୁକ୍ତେଶ୍ୱର ମନ୍ଦିର ପାଖରୁ ଆରମ୍ଭ ହୋଇ କୋଟିତୀର୍ଥ ଓ ବିନ୍ଦୁସାଗର କୂଳେ କୂଳେ ଏକାମ୍ରବନ ପରବର୍ତ୍ତୀ ନୀଳକଣ୍ଠେଶ୍ୱର ମନ୍ଦିର ଯାଏଁ ଲମ୍ବିଥିବା ଏହି ସଡ଼କର ଉଭୟ ପାଶ୍ୱର୍ରେ ଥିବା ମହତ୍ୱପୂର୍ଣ ସାର୍ବଜନୀନ ସଂସ୍ଥାନ ସାଙ୍ଗରେ ପ୍ରମୂଖ ଚବିଶି ଜଣ ଚିତ୍ରଶିଳ୍ପୀ ନିଜନିଜର କଳାକୃତି ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି ।
ଏହି ଟ୍ରେଲର ବିଷୟ ନେଭିଗେସନ୍ ଇଜ୍ ଅଫଲାଇନ୍ ରଖାଯାଇଥିବା ବେଳେ ଏହାକୁ ବିଖ୍ୟାତ ଚିତ୍ରଶିଳ୍ପୀ ଜଗନ୍ନାଥ ପଣ୍ଡା ଓ କଳା ଐତିହାସିକ ପ୍ରେମ୍ଜିସ୍ ଆଚାରି କ୍ୟୁରେଟ୍ କରୁଛନ୍ତି ।
ଓଡିଶା ସମେତ ଭାରତର ବିଭିନ୍ନ ରାଜ୍ୟ ଓ ବିଦେଶରୁ ଆସିଥିବା ଚବିଶ ଜଣ ଚିତ୍ରଶିଳ୍ପୀ ଏହି ପ୍ରକଳ୍ପରେ ଭାଗ ନେଇଛନ୍ତି । ଜିଜି ସ୍କାରିଆ, ସୁଦର୍ଶନ ସେଟ୍ଟି, ଶର୍ମିଳା ସାମନ୍ତ, ଅରୁଣ କୁମାର ଏଚ୍.ଜି , ମାର୍କସ୍ ବାଏଞିଗର୍, ପ୍ରତୁଲ୍ ଦାସ, ଏମ୍ ପ୍ରଭାତ, ରାମହରି ଜେନା ଓ ରମାକାନ୍ତ ସାମନ୍ତରାୟ ଆଦି ପ୍ରମୂଖ ସମକାଳୀନ ଚିତ୍ରଶିଳ୍ପୀମାନେ ଏହି କାର୍ୟ୍ୟକ୍ରମରେ ଯୋଗ ଦେଇଛନ୍ତି ।
ଦିଲ୍ଲୀରେ ରହୁଥିବା ପ୍ରତୁଲ୍ ଦାଶ ବିନ୍ଦୁସାଗର କୂଳରେ ମନ୍ଦିରର କୁଡୁଆକୁ ନେଇ ଟେମ୍ପଲ ଅଫ୍ ବାର୍ଡସ କଳାକୃତି ପ୍ରସ୍ତୁତ କରିସାରିଥିବା ବେଳେ ସୁଚିସ୍ମିତା ମହାନ୍ତି ମନ୍ଦିରରେ ଥିବା ପ୍ରସାଦ ସେବନ ପରମ୍ପରାକୁ ନେଇ ଲୋକମାନଙ୍କ ସହ ମିଶି ନିଜର ପରଫରମାନ୍ସ ଆଧାରିତ କାର୍ଯ୍ୟ ଶେଷ କରିସାରିଛନ୍ତି ।
ମହାରାଷ୍ଟ୍ରର ଶର୍ମିଳା ସାମନ୍ତ, ଜର୍ମାନୀର ଆର୍ନିକା ଏହଲ୍ଡାଗ୍ ଓ ଓଡିଶାର ବିଜୟନ୍ତ ଦାଶ ଲୋକମାନଙ୍କ ସହ କଥା ହୋଇ, ସେଇମାନଙ୍କର ଅସୁବିଧାକୁ ପ୍ରକାଶ କରିବାକୁ ଯାଇ କିଛି ପ୍ରଶ୍ନକୁ ଆଧାର କରି ନିଜର ଫରଫରମାନ୍ସ ପ୍ରସ୍ତୁତ କରୁଛନ୍ତି ।
ଫ୍ରାନ୍ସରୁ ଆସିଥିବା ସେସିଲି ବ୍ୟୁ ବିବର୍ତ୍ତନ ସହ ଆମ ପୁରାଣରେ ବିଷ୍ଣୁଙ୍କର ବିଭିନ୍ନ ଅବତାରକୁ ନେଇ ଥିବା ବିଭିନ୍ନ କାହାଣୀକୁ ଯୋଡି ନିଜ କଳାକୃତି ପ୍ରସ୍ତୁତିର ଶେଷ ପର୍ଯ୍ୟାୟରେ ପହଂଚିଥିବା ବେଳେ ଓଡିଶାର ପଙ୍କଜା ସେଠୀ ବିଭିନ୍ନ ଆକାର ଓ ଚାରିପାଖରୁ ସଂଗ୍ରହ କରୁଥିବା ଛୋଟ ଛୋଟ ପ୍ରାକୃତିକ ଜିନିଷକୁ ଯୋଡି ନିଜର ବୁଣିବା କାର୍ଯ୍ୟ ଜାରିରଖିଛନ୍ତି ।
ପ୍ରତାପ ଚନ୍ଦ୍ର ଜେନା ଓ ସ୍ମୃତିକାନ୍ତ ରାଉତ ବିନ୍ଦୁସାଗର ଉପରେ ବାଉଁଶରେ ପ୍ରସ୍ତୁତ ଏକ ଭାସମାନ କଳାକୃତି ତିଆରି ସାରି ସେଥିରେ ଆମେ ଫୋପାଡି ଦେଉଥିବା ଛୋଟ ଛୋଟ ଜିନିଷ ସଂଗ୍ରହ କରି ସେସବୁ ଯୋଡି ନୂଆ ରୂପ ଦେବାର ପ୍ରକ୍ରିୟାରେ ଅଛନ୍ତି ।
ରାମହରି ଜେନା, ରମାକାନ୍ତ ସାମନ୍ତରାୟ ଓ ଶୈଲେନ୍ ରାଉତରାୟଙ୍କ କୋଲାବରେସନ୍ ରେ ବିନ୍ଦୁସାଗର କୂଳରେ ଥିବା ତରଙ୍ଗ କ୍ଲବ୍ ରେ ଏବେ ଭୁବନେଶ୍ୱରର ଚକ୍ରତୀର୍ଥ ନାମକୁ ପ୍ରତୀକାତ୍ମକ ଭାବେ ପ୍ରକାଶ କରିବା ଲାଗି କଳାକୃତି ନିର୍ମାଣ ଚାଲିଛି । ଏତଦ୍ ବ୍ୟତୀତ ଆଉଟ୍ ସାଇଡର ଶୀର୍ଷକ ନେଇ କାମ କରୁଥିବା ଏହି ତିନିଜଣ ବିଭିନ୍ନ ସମୟରେ ବାହାରୁ ଆସି ଏହି ସହର ଉପରେ ଗବେଷଣା କରିଥିବା ବ୍ୟକ୍ତି ମାନଙ୍କର ଲିଖିତ ତଥ୍ୟ, ଅନେକ ଦିନ ଧରି ଏଠାରେ ରହିଥିବା ଲୋକମାନଙ୍କଠାରୁ ଶୁଣିଥିବା କଥା ସହ ମନ୍ଦିର ସହରର ଅନେକ ପୁରୁଣା ଓ ନୂଆ ଫଟୋକୁ ଆମକୁ ଦେଖାଇବାର ପ୍ରଚେଷ୍ଟା କରୁଛନ୍ତି ।
ସତ୍ୟଭାମା ମାଝି ପ୍ରାୟ ସତୁରି ଜଣ ପିଲାଙ୍କୁ ନେଇ କର୍ମଶାଳା କରୁଛନ୍ତି । ମନ୍ଦିର ନିର୍ମାଣ ଶୈଳୀ, ମ୍ୟାପ୍ ରିଡିଙ୍ଗ୍, ଚିତ୍ର ଆଙ୍କିବା ମାଧ୍ୟମରେ ସମସ୍ତେ ମନ୍ଦିରମାନଙ୍କର ଅଧ୍ୟୟନ ଜାରିରଖିଛନ୍ତି । ସମର୍ଜିତ୍ ବେହେରା ଇଂରାଜୀ ଶବ୍ଦକୁ ନେଇ ନିଜ କଳାକୃତି ତିଆରି ଆରମ୍ଭ କରିଥିବା ବେଳେ ସୁବ୍ରତ କୁମାର ବେହେରା ଓଡିଶାର ଲୋକକଥାକୁ ନେଇ ଚିତ୍ର ଆଙ୍କୁଛନ୍ତି ।
ସାୟନ୍ତନ ମିତ୍ର ବୋକା ଗୁଆଝରର ଠିକ୍ ମଝିରେ ପାଣିଉପରେ ବାଉଁଶର ଏକ ବିରାଟ କଳାକୃତି ପ୍ରସ୍ତୁତ କରିଛନ୍ତି ଯାହା ଭିତରକୁ ଯିବା ପାଇଁ ଏବେ ରାସ୍ତା ତିଆରି ଚାଲିଛି । ସେ ମଧ୍ୟ ଏହି ଟ୍ରେଲରେ ସେନୋଗ୍ରାଫର୍ କାର୍ୟ୍ୟ ତୁଲାଉଛନ୍ତି । ୧.୩ କିଲୋମିଟର ଲମ୍ବର ଏହି ଟ୍ରେଲ୍ ପରିଧିକୁ ବାଉଁଶରେ ସଜାଇ ଭୁବନେଶ୍ୱର ଆର୍ଟ ଟ୍ରେଲ୍ କୁ ଉତ୍ସବ ମୁଖରିତ କରିବାର ପ୍ରଚେଷ୍ଟା କରୁଛନ୍ତି ।
ତେଜା ଗଭାନକର୍, ଜିଜି ସ୍କାରିଆ ଓ ଏମ୍ ପ୍ରଭାତ କୋଟିତୀର୍ଥ ରାସ୍ତାରେ ନିଜନିଜର କଳାକୃତି ପ୍ରସ୍ତୁତି ଅର୍ଦ୍ଧାଧିକ ସାରିଥିବା ବେଳେ ଅରୁଣକୁମାର ଏଚ.ଜି, ମାର୍କସ୍ ବାଏଞିଗର୍, ସୁଦର୍ଶନ ସେଟ୍ଟୀ ଏବେ ଆରମ୍ଭ ପର୍ଯ୍ୟାୟରେ ।
ଓଡ଼ିଶାର ଐତିହାସିକ ସହର ଭୁବନେଶ୍ୱରକୁ ଜାଣିବାର ଓ ବୁଝିବାର ପ୍ରୟାସ ନେଇ ଆରମ୍ଭ ହୋଇଥିବା ଭୁବନେଶ୍ୱର ଆର୍ଟ ଟ୍ରେଲ୍ ର ଏ ଭିତରେ କୋଡିଏ ଦିନ ବିତିସାରିଛି । କାର୍ଯ୍ୟକ୍ରମଟିକୁ ଓଡିଶା ପର୍ଯ୍ୟଟନ ବିଭାଗ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ, ଭୁବନେଶ୍ୱର ମ୍ୟୁନିସିପାଲିଟି ଓ ସ୍ମାର୍ଟ ସିଟିର ସହଯୋଗରେ ଉତ୍ସ ଫାଉଣ୍ଡେସନ୍ ଆୟୋଜିତ କରୁଛି । ଏହି ପ୍ରକଳ୍ପର ମୁଖ୍ୟ ଉଦେଶ୍ୟ ଚିତ୍ରଶିଳ୍ପୀ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଏକ ସମ୍ପର୍କ ତିଆରି କରିବ ।
ଆସନ୍ତା ନଭେମ୍ବର ୧୮ ତାରିଖ ରବିବାର ଦିନ ଓଡିଶାର ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉଦଘାଟନ ପରେ ଡିସେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ଏହି ଆର୍ଟ ଟ୍ରେଲ୍ ସର୍ବସାଧାରଣଙ୍କ ନିମନ୍ତେ ଏକ ମାସ ଧରି ଖୋଲା ରହିବ ।

LEAVE A REPLY

Please enter your comment!
Please enter your name here