ଭୁବନେଶ୍ୱର : ଭୁବନେଶ୍ୱରରେ ପହଞ୍ଚିଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ସେ ଦୁଇଦିନ ଓଡିଶା ଗସ୍ତରେ ଆସିଛନ୍ତି । ଶାହ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିମାନ ବନ୍ଦରରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଢଙ୍ଗୀ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀ ଏବଂ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଶାହଙ୍କୁ ସ୍ୱାଗତ କରିଥିଲେ । ବିମାନ ବନ୍ଦରରୁ ସିଧା ଲୋକସେବା ଭବନ ଅଭିମୂଖେ ଯାତ୍ରା କରିଥିଲେ ଅମିତ ଶାହ । ଲୋକସେବା ଭବନରେ ଆରମ୍ଭ ହୋଇଛି ୨୪ତମ ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକ । ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଚାଲିଛି ବୈଠକ । ଏହି ବୈଠକରେ ଓଡିଶା, ବିହାର, ପଶ୍ଚିମବଙ୍ଗ ଓ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଯୋଗ ଦେଇଛନ୍ତି । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ଯୋଗ ଦେଇଛନ୍ତି । ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆସିପାରିନାହନ୍ତି ତାଙ୍କ ବଦଳରେ ଝାଡଖଣ୍ଡର ଅର୍ଥମନ୍ତ୍ରୀ ଯୋଗଦେଇଛନ୍ତି । ପରିଷଦରେ ରାଜ୍ୟର ବରିଷ୍ଠ କ୍ୟାବିନେଟ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଛନ୍ତି । ସେହିଭଳି କେନ୍ଦ୍ରସରକାରଙ୍କ ସଚିବ, ଅତିରିକ୍ତ ସଚିବ, ମୁଖ୍ୟ ଶାସନ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀଗଣ ଯୋଗ ଦେଇଛନ୍ତି । ଏହି ବୈଠକରେ ଶିଳ୍ପ, ଜଳ, ସୀମା ସମ୍ପର୍କିତ ବିବାଦ, ଗୃହ, ଶିକ୍ଷା, ଖାଦ୍ୟ ନିରାପତ୍ତା, ପର୍ଯ୍ୟଟନ, ନିରାପତ୍ତା, ସଡକ ପରିବହନ, ଜଙ୍ଗଲ ଓ ପରିବେଶ ଭଳି ବିଷୟବସ୍ତୁ ଉପରେ ଆଲୋଚନା ହୋଇପାରେ ।

LEAVE A REPLY

Please enter your comment!
Please enter your name here