ନୂଆଦିଲ୍ଲୀ : ଜାପାନରୁ ଫେରିଲେ ଅଟକ ରହିଥିବା ଭାରତୀୟ । କରୋନା ସଂକ୍ରମଣ ସନ୍ଦେହରେ ଜାପାନର ୟୋକୋହମା ବନ୍ଦରରେ ‘ଡାଇମଣ୍ଡ ପ୍ରିନସେସ୍‌’ ଜାହାଜରେ ଫସିରହିଥିଲେ ୧୧୯ ଭାରତୀୟ । ଏହା ବ୍ୟତୀତ ଶ୍ରୀଲଙ୍କା, ନେପାଳ, ଦକ୍ଷିଣ ଆଫ୍ରିକା ଏବଂ ପେରୁର ୫ ବିଦେଶୀ ନାଗରିକଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି । ସମସ୍ତଙ୍କୁ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନରେ ଜାପାନର ଟୋକିଓରୁ ଦିଲ୍ଲୀକୁ ଅଣାଯାଇଛି । ଏମାନଙ୍କ ମଧ୍ୟରେ କିଛି ଜଣ କରୋନା ଭାଇରସରେ ସଂକ୍ରମିତ ଥିବା ବେଳେ ଅନ୍ୟମାନେ ସୁରକ୍ଷିତ ଅଛନ୍ତି । ଭାରତରେ ସମସ୍ତଙ୍କ କରୋନା ଟେଷ୍ଟ କରାଯିବ । ସେଥିପାଇଁ ସେମାନଙ୍କୁ ୧୪ ଦିନ ପାଇଁ ହରିୟାଣାର ସେନା ଦ୍ୱାରା ନିର୍ମାଣ କରାଯାଇଥିବା ଚିକିତ୍ସା ଶିବିରରେ ରଖାଯିବ । ସ୍ୱାସ୍ଥ୍ୟ ପରୀକ୍ଷା ପରେ ସୁସ୍ଥ ଥିବା ନାଗରିକଙ୍କୁ ଘରକୁ ଯିବାକୁ ଅନୁମତି ମିଳିବ । ଉଦ୍ଧାର କାର୍ଯ୍ୟରେ ସହାୟତା କରିଥିବାରୁ ଜାପାନର ଅଧିକାରୀମାନଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର କୃତଜ୍ଞତା ଜଣାଇଛନ୍ତି । ଓଡିଆ ଯୁବ ଇଞ୍ଜିନିୟର ଶିବାଶିଷ ନାୟକ ମଧ୍ୟ ଜାହାଜରେ ଫସି ରହିଥିଲେ । ଶିବାଶିଷ ନାୟକ ଭାରତ ଫେରିଥିବାରୁ ତାଙ୍କ ବାପା ଲିଙ୍ଗରାଜ ଖୁସି ପ୍ରକଟ କରିଛନ୍ତି । ଶିବାଶିଷଙ୍କ ରିପୋର୍ଟ ନେଗେଟିଭ ଆସିଥିବା କଥା ତାଙ୍କ ବାପା କହିଛନ୍ତି । ଭାରତରେ ପୁଣି ଥରେ କରୋନା ଟେଷ୍ଟ ପରେ ସେ ଘରକୁ ଫେରିବେ ।

LEAVE A REPLY

Please enter your comment!
Please enter your name here