ଦିନକୁ ଦିନ ସୋସିଆଲ ମିଡ଼ିଆର କ୍ରେଜ ବଢ଼ି ଚାଲିଛି । ଯୋଗାଯୋଗର ଏକ ବଡ଼ ମାଧ୍ୟମ ଭାବରେ ଉଭା ହୋଇଛି ସୋସିଆଲ ମିଡ଼ିଆ । ଚଟାପଟ ଲୋକଙ୍କ ପାଖରେ ପହଞ୍ଚୁଛି ଖବର । କିନ୍ତୁ ଏହାର ଅସଦ ବ୍ୟବହାର ସରକାରଙ୍କ ମୁଣ୍ଡବିନ୍ଧା ହୋଇଛି । ସୋସିଆଲ ମିଡ଼ିଆ ରେ ଅନେକ ସମୟରେ ଘୂରି ବୁଲୁଛି ମିଛ ଖବର । ମବ୍ ଲିଞ୍ଚିଂ ଓ ଅଶ୍ଳୀଳ ଭିଡିଓ ମୋବାଇଲରୁ ମୋବାଇଲକୁ ଭାଇରାଲ ହେଉଛି । ଏଭଳି ଘଟଣାରେ କେମିତି ଲାଗିବ ରୋକ ? ସମସ୍ୟାର ସମାଧାନ ନେଇ ସୋସିଆଲ ମିଡ଼ିଆ ମେସେଜିଂ ସର୍ଭିସ୍ ହ୍ବାଟସ ଆପ ସିଇଓ କ୍ରିମ ଡାନିଏଲଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ । ଦିଲ୍ଲୀରେ ଏହି ଆଲୋଚନା ସକାରାତ୍ମକ ହୋଇଥିବା ରବିଶଙ୍କର କହିଛନ୍ତି । ଫେକନୁ୍ୟଜ୍ ଓ ଅଶ୍ଳୀଳ ମେସେଜ ଉପରେ ରୋକ ଲଗାଇବା ପାଇଁ ନୂଆ ଟେକନିକ୍ ଉପରେ ଗୁରୁତ୍ୱ ଦେବା କହିଛନ୍ତି କେନ୍ଦ୍ର ସରକାର । କିଛି ପ୍ରସ୍ତାବ ଦେଇଛନ୍ତି । ନଜର ପକାନ୍ତୁ ହ୍ବାଟ୍ସ ଆପଣକୁ ସରକାର ଦେଇଥିବା କିଛି ପ୍ରସ୍ତାବ ଭୋଟରେ ।
କ’ଣ ପ୍ରସ୍ତାବ ଦେଇଛନ୍ତି ସରକାର ?
୧. ଭାରତରେ ହ୍ବାଟ୍ସ ଆପର କର୍ପୋରେଟ ଅଫିସ ଖୋଲିବା ଓ ଅଭିଯୋଗର ବିଚାର ପାଇଁ ଅଧିକାରୀ ନିଯୁକ୍ତ କରିବା ।
୨. ହ୍ବାଟ୍ସ ଆପକୁ ଭାରତର ଆଇନ ବ୍ୟବସ୍ଥାକୁ ମାନିବାକୁ ହେବ । ଆମ ଦେଶର ସୋସିଆଲ ମିଡ଼ିଆ ସମ୍ପର୍କିତ ସମସ୍ୟା ସମାଧାନ ଏଠାରେ କରାଯାଉ । ସବୁକଥା ଆମେରିକାରୁ ନ ହେଉ ।
୩. ଖରାପ ଓ ଆତଙ୍କ ସୃଷ୍ଟିକାରୀ ମେସେଜର ଉତ୍ପତ୍ତି ସ୍ଥାନ ତୁରନ୍ତ କିଭଳି ଜାଣିହେବ ବ୍ୟବସ୍ଥା କରାଯାଇ । ଯାହାଦ୍ବାରା ଦୋଷୀଙ୍କ ପାଖରେ ପହଞ୍ଚିବା ସହଜ ହେବ ।
୪. ଭାରତୀୟଙ୍କ ହ୍ବାଟ୍ସ ଆପ ଡାଟା ଭାରତରେ ରହୁ ।
ଉପରୋକ୍ତ ପ୍ରସ୍ତାବ ସମ୍ପର୍କରେ ହ୍ବାଟ୍ସ ଆପ୍ ସିଇଓଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ । ପୂର୍ବରୁ ମିଥ୍ୟା ଖବର ଭାଇରାଲ ଦ୍ଵାରା ଦେଶରେ ମବ୍ ଲିଞ୍ଚିଂ ଭଳି ସାମାଜିକ ଅପରାଧ ବଢ଼ିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମିଥ୍ୟା ଖବର ଭାଇରାଲ ରୋକିବା ପାଇଁ ପଦକ୍ଷେପ ନେବାକୁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ପୂର୍ବରୁ ନୋଟିସ୍ ବି କରିଥିଲେ । ଏହାପରେ ଭାରତରେ ହ୍ବାଟ୍ସ ଆପ୍ ବ୍ୟବହାରକାରୀଙ୍କୁ ଏକାଥରେ କେବଳ ୫ଟି ମେସେଜ ପଠାଇବା ବ୍ୟବସ୍ଥା ଲାଗୁ କରିଛି ହ୍ବାଟ୍ସ ଆପ୍ । ଆଗକୁ କେନ୍ଦ୍ର ସରକାରଙ୍କ ନୂଆ ପ୍ରସ୍ତାବକୁ କେତେ କାର୍ୟ୍ୟକାରୀ କରାଯାଉଛି ଦେଖିବା କଥା ।

LEAVE A REPLY

Please enter your comment!
Please enter your name here