ବାଜପେୟୀଙ୍କ ଚିତାଭସ୍ମକୁ ନେଇ ଦେଶବ୍ୟାପି ବିଜେପି ଆରମ୍ଭ କରିଛି ଶୋଭାଯାତ୍ରା । ବିଭିନ୍ନ ନଦୀରେ ବାଜପେୟୀଙ୍କ ଚିତାଭସ୍ମକୁ ବିସର୍ଜନ କରାଯାଉଛି । ମାତ୍ର ବିଜେପିର ଏଭଳି ଆଭିମୁଖ୍ୟକୁ କଡା ସମାଲୋଚନା କରିଛନ୍ତି ବାଜପେୟୀଙ୍କ ଝିଆରି କରୁଣା ଶୁକ୍ଳା । ଶୁକ୍ଳାଙ୍କ ଅଭିଯୋଗ ହେଉଛି, ଶ୍ରଦ୍ଧା କି ଆନ୍ତରିକତା ନୁହେଁ, ଚିତାଭସ୍ମକୁ ନେଇ ବିଜେପି ରାଜନୀତି କରୁଛି । ଅଟଳଜୀ ଜିବୀତ ଥିବାବେଳେ ଦଳ ତାଙ୍କ ନାଁକୁ ନେଇ ଭୋଟ ହାତେଇବାକୁ ଚେଷ୍ଟା କରୁଥିଲା । ଏବେ ତାଙ୍କ ଅବର୍ତ୍ତମାନରେ ଦଳର ନେତାମାନେ ଚିତାଭସ୍ମକୁ ସାହାରା କରି ନିର୍ବାଚନ ବୈତରଣୀ ପାରି ହେବାକୁ ଅଭିଯାନ ଆରମ୍ଭ କରିଛନ୍ତି । ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ଦେଶବ୍ୟାପି ଚିତାଭସ୍ମକୁ ନେଇ ଏଭଳି ଶୋଭାଯାତ୍ରା କରାଯାଉଛି ବୋଲି ଶ୍ରୀମତି ଶୁକ୍ଳା କହିଛନ୍ତି । ବିଜେପି ନେତାଙ୍କ ଆଚରଣ ନେଇ ସେ ବ୍ୟଥିତ ବୋଲି କହିଛନ୍ତି । ଗତ ୧୦ ବର୍ଷ ହେଲାଣି ଦଳ ବାଜପେୟୀଙ୍କୁ ସମ୍ପୂର୍ଣ୍ଣ ଭୁଲି ଯାଇଥିଲା । ଏପରିକି ଏହା ମଧ୍ୟରେ ଯେତେସବୁ ନିର୍ବାଚନ ହୋଇଛି ସେଥିରେ ତାଙ୍କ ଫଟୋ କୌଣସି ପୋଷ୍ଟରରେ ମଧ୍ୟ ବ୍ୟବହାର କରାଯାଉନଥିଲା । ସାମ୍ପ୍ରତିକ ସ୍ଥିତିରେ ଦଳ ଦୂର୍ବଳ ହୋଇପଡିଥିବାବେଳେ ରିପୋର୍ଟ ପ୍ରକାଶ ପାଇବା ପରେ ବିଜେପି ନେତୃତ୍ୱ ମଧ୍ୟରେ ଛନକା ପଶିଛି । ତେଣୁ ଏଭଳି ସ୍ଥିତିରେ ଦଳକୁ ମୁକୁଳାଇବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମକୁ ନେତାମାନେ ସାହାରା କରିଛନ୍ତି । ଏଭଳି କାର୍ଯ୍ୟ ଉଚିତ୍ ନୁହେଁ ବୋଲି ଶୁକ୍ଳା କହିଛନ୍ତି ।

LEAVE A REPLY

Please enter your comment!
Please enter your name here