ନୂଆଦିଲ୍ଲୀ(ଏଜେନ୍ସି): ନିକଟ ଅତୀତରେ ମାରାତ୍ମକ ଇଣ୍ଟରନେଟ୍ ଗେମ୍ ‘ବ୍ଲୁ ହ୍ୱେଲ୍’ର ଶିକାର ହୋଇ ଦେଶ ବିଦେଶର ଶତାଧିକ ଯୁବଗୋଷ୍ଠୀ ନିଜ ଜୀବନ ହାରିବା ଦେଖିବାକୁ ମିଳିଥିଲା । ପରେ ଅବଶ୍ୟ ବ୍ୟାପକ ସତର୍କତା ଓ ପରାମର୍ଶ ଯୋଗୁଁ ଯୁବଗୋଷ୍ଠୀଙ୍କୁ ଏହି ଖେଳରୁ ଦୂରେଇ ରଖାଯାଇପାରିଥିଲା ଏବଂ ଏହି ଗେମ୍ ଆପଣାଛାଏଁ ନିଷ୍ପ୍ରଭ ହୋଇଯାଇଥିଲା । ତେବେ ବର୍ତ୍ତମାନ ସମୟରେ ଆଉ ଏକ ଅନ୍ଲାଇନ୍ ଗେମ୍ ‘ମୋମୋ ହ୍ୱାଟ୍ସଆପ୍ ଚାଲେଞ୍ଜ’ ଯୁବପୀଢ଼ିଙ୍କ ନିକଟତର ହେବାରେ ଲାଗିଥିବା ଦେଖିବାକୁ ମିଳୁଛି । ବ୍ଲୁହ୍ୱେଲ ପରି ଏହା ମଧ୍ୟ ଏକ ବ୍ରେନ୍ ଡେଡ୍କାରୀ ଡେଥ୍ ଗେମ୍ ବୋଲି ନିକଟରେ ଜଣାପଡିଛି । ବ୍ଲୁହ୍ୱେଲ ଯେପରି ଯୁବପୀଢ଼ିଙ୍କୁ ଲୋଭନୀୟ ପ୍ରସ୍ତାବ ଦେଇ ମୃତୁ୍ୟ ନିକଟତର କରାଇଥାଏ, ଠିକ୍ ସେହିପରି ମୋମୋ ହ୍ୱାଟ୍ସଆପ୍ ଚାଲେଞ୍ଜ ଖେଳ ମଧ୍ୟ ମୃତୁ୍ୟ ଦିଗରେ ଯୁବପୀଢ଼ିଙ୍କୁ ପଥ କଢ଼େଇ ନେଉଥିବା ସୂଚନା ମିଳିବାରେ ଲାଗିଛି । ସମ୍ପ୍ରତି ଏହି ମୃତୁ୍ୟର ଖେଳ ଭାରତରେ ନିଜ ପ୍ରଭାବ ବିସ୍ତାର କରିପାରିନି । କିନ୍ତୁ ବିଭିନ୍ନ ପାଶ୍ଚାତ୍ୟ ରାଷ୍ଟ୍ରରେ ଏହା ନିଜ କୁତ୍ସିତ ଯୋଜନା ବିସ୍ତାର କରିବାରେ ଲାଗିଛି । ତେବେ ନିଜ ଆତଙ୍କୀ ଖେଳ ଖେଳିବାରେ ବ୍ଲୁହ୍ୱେଲ ଯେପରି ସଫଳ ହୋଇଥିଲା, ମୋମୋ ହ୍ୱାଟ୍ସଆପ୍ ଚାଲେଞ୍ଜ ଗେମ୍ ସେପରି ସଫଳ ନହୁଏ ବା କୌଣସି ପିଲା, ଯୁବକ/ଯୁବତୀ ଏହାର ଶିକାର ଯେପରି ନହୁଅନ୍ତି ସେଥିପ୍ରତି ପୁଣିଥରେ ବିଭିନ୍ନ ମହଲରୁ ତତ୍ପରତା ପ୍ରକାଶ ପାଇଛି । ଅଭିଭାବକଙ୍କୁ ନିଜ ପିଲାଙ୍କୁ ଏହି ଖେଳ ଠାରୁ ଦୂରେଇ ରଖିବାକୁ ପରାମର୍ଶ ଦେବା, ସତର୍କ କରାଇବା ତଥା ସେମାନଙ୍କ ସହ ଏହି ଖେଳର ଭୟାବହତା ସମ୍ପର୍କରେ ଖୋଲାଖୋଲି ଭାବେ ଆଲୋଚନା କରି ସେମାନଙ୍କ ମାନସିକତାକୁ ସୁଦୃଢ଼ ରଖିବା ଦିଗରେ ଅନୁରୋଧ କରାଯାଉଛି ।

କ’ଣ ଏହି ମୋମୋ ଚାଲେଞ୍ଜ୍?

ସୋସିଆଲ ମିଡିଆର ସର୍ବାଧିକ ବ୍ୟବହୃତ ଆପ୍ଲିକେସନ୍ ‘ହ୍ୱାଟ୍ସଆପ୍’କୁ ନେଇ ଏହି ଖେଳ ପ୍ରସ୍ତୁତ କରାଯାଇଛି । ଏଥିରେ ହ୍ୱାଟ୍ସଆପ୍କାରୀଙ୍କ ହ୍ୱାଟ୍ସଆପ୍ ନମ୍ବରରେ ଗୋଟିଏ ଅଜଣା ନମ୍ବରରୁ ହ୍ୱାଟ୍ସଆପ୍ ଲିଙ୍କ୍ ଆସୁଛି । ଏହି ନମ୍ବରର ପ୍ରୋଫାଇଲ୍ ଫଟୋରେ ଗୋଟିଏ ଭୟାନକ ରୂପଧାରୀ ଝିଅକୁ ଦେଖିବାକୁ ମିଳୁଛି ଓ ସେ ନିଜ ନାମ ମୋମୋ ଦର୍ଶାଉଛି । ତେବେ ଏହି ନମ୍ବରରେ ଥରେ ଫୋନ୍ କଲେ କିମ୍ବା ଉକ୍ତ ନମ୍ବରରୁ ଆସିଥିବା ଲିଙ୍କ୍କୁ କ୍ଲିକ୍ କଲେ ଅନ୍ୟପଟୁ ଜଣେ ଯୁବତୀଙ୍କ କଣ୍ଠସ୍ୱର ଶୁଣିବାକୁ ମିଳୁଛି । ପରେ ଉକ୍ତ ଯୁବତୀଜଣକ ବିଭିନ୍ନ ସୋପାନ ମାଧ୍ୟମରେ ମୋବାଇଲ ବ୍ୟବହାରକାରୀଙ୍କ ସହ ଘନିଷ୍ଠ ହେବାକୁ ଚେଷ୍ଟା କରୁଛି । ପରେ ପରେ ମୋବାଇଲ ବ୍ୟବହାରକାରୀକୁ ‘ମୋମୋ’ ବିଭିନ୍ନ କଷ୍ଟକର ଯଥା ସୁଉଚ୍ଚ ପାହାଡ କିମ୍ବା ବିଲ୍ଡିଂର ଶୀର୍ଷରେ ଛିଡାହୋଇ, ଚଳନ୍ତା ଟ୍ରେନ୍ ସମ୍ମୁଖରେ ଛିଡା ହୋଇ, ବ୍ୟାପକ ନିଆଁ ମଧ୍ୟରେ ଛିଡା ହୋଇ, ଫାଶୀ ଲଗାଇ ମରିବାକୁ ଚେଷ୍ଟା କରିବା ଭଳି ପରିସ୍ଥିତିର ସେଲ୍ଫି କିମ୍ବା ଭିଡିଓ ସୁଟିଂ କରି ହ୍ୱାଟ୍ସଆପ୍ କରିବାକୁ କହିଥାଏ । ଏସବୁ ପାଇଁ ସେ ମୋବାଇଲ ବ୍ୟବହାରକାରୀକୁ ବିଭିନ୍ନ ଲୋଭନୀୟ ପ୍ରସ୍ତାବ ମଧ୍ୟ ପ୍ରସ୍ତାବ ମଧ୍ୟ ଦେଇଥାଏ । ଏପରି କରି ମୋମୋ ତା’ ସହ ଚାଟ୍ କରୁଥିବା, କଥା ହେଉଥିବା ମୋବାଇଲ ବ୍ୟବହାରକାରୀକୁ ଆତ୍ମହତ୍ୟା ପଥରେ ବହୁ ଆଗକୁ ନେଇଯାଇଥାଏ । ସର୍ବପ୍ରଥମେ ଫେସ୍ବୁକ୍ରେ ମୋମୋ ଲିଙ୍କ୍କୁ ଦେଖିବାକୁ ମିଳିଥିଲା ।

ମୋମୋ ନାମଧାରୀ ଏହି ଝିଅ କିଏ?

ନିଜକୁ ‘ମୋମୋ’ ନାମରେ ନାମିତ ତଥା ଫଟୋ ପ୍ରଦର୍ଶିତ କରୁଥିବା ଏହି ଭୟାନକ ଆକୃତିର ଝିଅଟି ପ୍ରକୃତରେ ଏକ କଣ୍ଢେଇ । ଜାପାନ ସଂଗ୍ରହାଳୟରେ ଏହି ଆକୃତିର ଏକ କଣ୍ଢେଇକୁ ରଖାଯାଇଥିବା ଦେଖଣାହାରୀମାନେ କହନ୍ତି । ଏହି ଭୟାନକ କଣ୍ଢେଇକୁ ତକ୍ରାଳୀନ ଜାପାନୀ ଖେଳନା ଡିଜାଇନର ମିଦୋରି ହାୟଶି ତିଆରି କରିଥିଲେ । ଏହି କଣ୍ଢେଇକୁ ପୃଥିବୀର ସର୍ବାଧିକ ଭୟଙ୍କର କଣ୍ଢେଇର ମାନ ମାନ୍ୟତା ମିଳିଛି । ତେବେ ମୋମୋ ପ୍ରୋଫାଇଲ୍ରେ ଏହି କଣ୍ଢେଇର ଫଟୋ ଦିଆଯାଇଥିବାରୁ ଏହି ଖେଳ ଜାପାନ୍ରୁ ଆରମ୍ଭ ହୋଇଥିବା ଅନୁମାନ କରାଯାଉଛି । କିନ୍ତୁ ଆମେରିକାରେ ଯେଉଁ ହ୍ୱାଟ୍ସଆପ୍ ନମ୍ବରରେ ଏହି ଲିଙ୍କ୍ ମୋବାଇଲ ବ୍ୟବହାରକାରୀଙ୍କ ନିକଟକୁ ଆସୁଛି, ତାହା ମେକ୍ସିକୋ ଓ ବ୍ରାଜିଲ୍ ନମ୍ବର ବୋଲି ଜଣାପଡିଛି । ତେବେ ଏହା ସତ ଯେ, ଏହି ନମ୍ବରରେ ଯୁବତୀର କଣ୍ଠସ୍ୱର ଶୁଭୁଥିବାରୁ ଏବଂ ସେ ବାର୍ତ୍ତାଳାପ କରୁଥିବାରୁ ଏହି ଖେଳ ପଛରେ ଥିବା ଆଡିମିନିଷ୍ଟେଟରଙ୍କ ମଧ୍ୟରେ କିଛି ଯୁବତୀ ରହିଛନ୍ତି ।

କେଉଁଠୁ ଆରମ୍ଭ ହୋଇଛି, ପ୍ରସ୍ତୁତକାରୀ କିଏ?

ମୋଟାମୋଟି ଭାବେ କହିଲେ ମୋମୋ’ ଭଳି ଏକ ଡେଥ୍ ଗେମ୍ କେଉଁ ରାଷ୍ଟ୍ରରୁ ଏହାର ଶୁଭାରମ୍ଭ ହୋଇଛି, ଏହାକୁ କିଏ ପ୍ରସ୍ତୁତ କରିଛି, ଏହା ପଛରେ ତା’ର ଉଦେ୍ଦଶ୍ୟ କ’ଣ କାହାରିକୁ ଜଣାନାହିଁ । ଆମେରିକା, ମେକ୍ସିକୋ, ଜାପାନ, ବ୍ରାଜିଲ୍ ଭଳି ଦେଶ ଏବେ ଏହି ଖେଳର ପ୍ରସ୍ତୁତକାରୀକୁ ଖୋଜିବାରେ ଲାଗିଛନ୍ତି । ଖୁବ୍ଶୀଘ୍ର ଏଦିଗରେ ସଫଳତା ମିଳିବ ବୋଲି ସେମାନେ ଆଶା ରଖିଛନ୍ତି । ସମ୍ପ୍ରତି କେବଳ ଅନୁମାନରେ ବିଭିନ୍ନ ରାଷ୍ଟ୍ରରେ ଯାଞ୍ଚ ପ୍ରକ୍ରିୟା କରାଯାଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି, ମୋମୋ ନମ୍ବର ସମାନ ହୋଇଥିଲେ ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ଇଣ୍ଟରନେଟ୍ ଆଇଡି କିମ୍ବା ପ୍ରୋଟୋକଲ୍ରୁ ଏହା ଆସୁନଥିବାରୁ ଏହାକୁ ଧରିବା, କିମ୍ବା ତା’ ସମ୍ପର୍କରେ କୌଣସି ସଠିକ୍ ସୂଚନା ଲଗାଇବା ସମ୍ଭବ ହୋଇପାରୁନାହିଁ ।

ବିଶେଷଜ୍ଞଙ୍କ ପରାମର୍ଶ

ମାନସିକ ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ସର୍ବପ୍ରଥମେ ପିଲାଙ୍କୁ ଏହି ଖେଳ ବିଷୟରେ ଜଣାଇ ଦିଆଯିବା ଉଚିତ୍ । ଏହା ବ୍ୟତୀତ କୌଣସି ଅଜଣା ଲୋକ ସହ କଥା ନହେବା ପାଇଁ ପିଲାମାନଙ୍କୁ ଅଭିଭାବକମାନେ ବୁଝାଇବା, ଫୋନ୍ କିମ୍ବା କମ୍ପ୍ୟୁଟର୍ ବ୍ୟବହାର କରୁଥିବା ସମୟରେ ସେମାନଙ୍କ ଉପରେ ନଜର ରଖିବା, ଫୋନ୍ ଓ କମ୍ପୁ୍ୟଟରରେ ଆଣ୍ଟି ଭାଇରସ୍ ଲଗାଇବା ସହ ପିଲାମାନଙ୍କ ଦୁଃଖ କିମ୍ବା ସମସ୍ୟା ସମ୍ପର୍କରେ ଅଭିଭାବକମାନେ ଅବଗତ ରହିବା ଉଚିତ୍ । ବିଶେଷଜ୍ଞଙ୍କ ମତରେ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରିବା ପାଇଁ  ଏଭଳି ଖେଳର ପରିକଳ୍ପନା କରାଯାଇଛି । ଏଥିରେ ପିଲାମାନଙ୍କ ପ୍ରତି ଅଧିକ ବିପଦ ରହିଛି, କାରଣ ସେମାନ ଭୁଲ୍-ଠିକ୍, ବାସ୍ତବତା ଓ କଳ୍ପନା ମଧ୍ୟରେ ପାର୍ଥକ୍ୟ ବୁଝିବାରେ ସମର୍ଥ ହୋଇନଥାନ୍ତି । ସେମାନଙ୍କ ଚପଳମତି ମାନସିକତା ସହ ଖେଳିବା ସହଜ ହୋଇଥିବାରୁ ସେମାନଙ୍କୁ ଏପ୍ରକାର ଟାର୍ଗେଟ୍ କରାଯାଉଛି । ତେବେ କେବଳ ଉଚିତ୍ ପରାମର୍ଶ ଜରିଆରେ ପିଲାମାନଙ୍କୁ ଏହି ଖେଳରୁ ଦୂରେଇ ରଖାଯାଇପାରିବ ଓ ଏହି ଖେଳ ବ୍ଲୁହ୍ୱେଲ ପରି ବିଫଳ ହୋଇଯିବ ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି ।ଇଛି ।

LEAVE A REPLY

Please enter your comment!
Please enter your name here