ବ୍ରହ୍ମପୁର : ବ୍ରହ୍ମପୁର ବ୍ରହ୍ମାନଗର ନିକଟରେ ଥିବା ଗୁରୁଦେବ ହସ୍ପିଟାଲକୁ ଆଜି ସିଲ୍ କରିଛି ଜିଲ୍ଲା ପ୍ରଶାସନ । ଗତ ୧୭ ତାରିଖରେ ମାର୍କଣ୍ଡେଶ୍ୱର ନିବାସୀ ଐଶ୍ଚର୍ଯ୍ୟା ସିଂହଦେଓ ନାମକ ଜଣେ ମହିଳାଙ୍କ ଆପେଣ୍ଡିସାଇଟିସ ଚିକିତ୍ସା ପାଇଁ ଗୁରୁଦେବ ନର୍ସିଂହୋମରେ ଭର୍ତ୍ତି ହୋଇଥିଲେ । ଅସ୍ତ୍ରୋପଚାର ପୂର୍ବରୁ ତାଙ୍କୁ ନିଶ୍ଚେତକ ଦିଆଯାଇଥିଲା । ତେବେ ଅପରେସନ ପରେ ତାଙ୍କର ଚେତା ଫେରି ନ ଥିଲା ଏବଂ ମହିଳାଙ୍କ ମୃତ୍ୟୁ ଘଟିଥିଲା । ଡାକ୍ତରଙ୍କ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ମୃତ୍ୟ ହୋଇଥିବା ଦର୍ଶାଇ ତାଙ୍କ ସ୍ୱାମୀ ଶ୍ରୁଭ୍ରଜିତ ସାମନ୍ତ ଲାଞ୍ଜିପଲ୍ଲୀ ବୈଦ୍ୟନାଥ ଥାନାରେ ଏତଲା ଦେଇଥିଲେ । ପୁଲିସ କେସ ନଂ ୩୯/୨୦ରେ ଏକ ମାମଲା ରୁଜୁ କରି ଶବ ବ୍ୟବେଚ୍ଛେଦ ପାଇଁ ପଠାଇଛି । ଶବ ବ୍ୟବେଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି । ଏହି ଘଟଣାକୁ ନେଇ ପରିବାରବର୍ଗଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଏହାପରେ ପରିବାର ଲୋକେ ହସ୍ପିଟାଲର ମାଲିକ ଓ ଡାକ୍ତରଙ୍କ ବିରୋଧରେ ଅଭିଯୋଗ କରିଥିଲେ । ହସ୍ପିଟାଲରେ ଉପଯୁକ୍ତ ବ୍ୟବସ୍ଥା ନ ଥାଇ ଅସ୍ତ୍ରୋପଚାର କରାଯାଇଥିଲା । ଅପରେସନ ପରେ ହସ୍ପିଟାଲ ବେଡରେ ଐଶ୍ଚର୍ଯ୍ୟା ଛଟପଟ ହେଉଥିବା ସମୟରେ ଡାକ୍ତର କି ନର୍ସ କାହାର ଦେଖା ନ ଥିଲା ବୋଲି ଐଶ୍ଚର୍ଯ୍ୟାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଆଇସିୟୁ ବ୍ୟବସ୍ଥା ମଧ୍ୟ ନ ଥିବା ପରିବାର ଲୋକେ କହିଛନ୍ତି । ଫଳରେ ଅପରେସନର କିଛି ସମୟ ପରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଗୁରୁଦେବ ହସ୍ପିଟାଲର ମାଲିକ, ଡାକ୍ତର ଏବଂ ନିଶ୍ଚେତକ ଦେଇଥିବା ଡାକ୍ତରଙ୍କ ଗିରଫ ଦାବି କରିଛନ୍ତି ପରିବାର ଲୋକେ । ଗତ ୬ ମାସ ମଧ୍ୟରେ ଗୁରୁଦେବ ହସ୍ପିଟାଲ ବିରୋଧରେ ଏପରି ୩ଟି ମାମଲା ଆସିବା ପରେ ଏହି ହସ୍ପିଟାଲ ଜିଲ୍ଲା ପ୍ରଶାସନ ନଜରରେ ଥିଲା । ଗତ ୧୯ ତାରିଖରେ ଜିଲ୍ଲାପାଳଙ୍କ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ସ୍ୱାସ୍ଥ୍ୟ ବିଭାଗର ଏକ ଡାକ୍ତରୀ ଟିମ୍‌, ଜିଲ୍ଲାପ୍ରଶାସନ ଅଧିକାରୀ, ଅଗ୍ନିଶମ ବିଭାଗ ଓ ପୁଲିସ ଗୁରୁଦେବ ହସ୍ପିଟାଲରେ ପହଞ୍ଚି ତଦନ୍ତ କରିଥିଲେ । କ୍ଲିନିକାଲ ଇଷ୍ଟାବ୍ଲିସମେଣ୍ଟ ଆକ୍ଟ ଉଲ୍ଲଘଂନ ପାଇଁ ଗୁରୁଦେବ ହସ୍ପିଟାଲକୁ ବନ୍ଦ କରିଦିଆଯାଇଥିବା ପ୍ରଶାସନ କହିଛି । ନର୍ସିଂହୋମରେ ବର୍ତ୍ତମାନ ୧୬ ଜଣ ଗର୍ଭବତୀ ଚିକିତ୍ସାଧୀନ ଅଛନ୍ତି । ସିଟି ହସ୍ପିଟାଲର ଏକ ଡାକ୍ତରୀ ଦଳ ସେମାନଙ୍କ ଚିକିତ୍ସା କରିବେ । ଡାକ୍ତରଙ୍କ ପରାମର୍ଶ କ୍ରମେ ସେମାନଙ୍କୁ ୭ ଦିନ ମଧ୍ୟରେ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି ।

LEAVE A REPLY

Please enter your comment!
Please enter your name here