ନୂଆଦିଲ୍ଲୀ: ରାଜ୍ୟସଭା ତରଫରୁ ରାଘବ ଚଢା ସମେତ ଆପ୍ ର ସମସ୍ତ ବିଦ୍ରୋହୀ ସାଂସଦଙ୍କୁ ବିଜେପିର ମାନ୍ୟତା ମିଳିଛି । ଏହାକୁ ନେଇ ରାଜ୍ୟସଭା ସଚିବାଳୟ ତରଫରୁ ନୋଟିଫିକେସନ ଜାରି କରିଛି । ରାଜ୍ୟସଭା ସଚିବାଳୟ ଆପ୍ ରୁ ବିଜେପିରେ ସାମିଲ ହୋଇଥିବା ସମସ୍ତ ସାଂସଦଙ୍କୁ ନେଇ ନୋଟିଫିକେସନ ଜାରି ହୋଇଛି । ଏମାନେ ସମସ୍ତେ ବିଜେପିର ବୋଲି କୁହାଯାଇଛି, ଯାହାପରେ ରାଜ୍ୟସଭାରେ ବିଜେପି ସଦସ୍ୟ ସଂଖ୍ୟା ବଢି ୧୧୩ରେ ପହଞ୍ଚିଛି । ଆପ୍ ସାଂସଦ ସଂଜୟ ସିଂ ରାଜ୍ୟସଭା ବାଚସ୍ପତି ସିପି ରାଧାକ୍ରିଷ୍ଣନଙ୍କୁ ଚିଠି ଲେଖିଥିଲେ । ଯେଉଁଥିରେ ଆପ୍ ଛାଡିଥିବା ୭ ସାଂସଦଙ୍କୁ ଅଯୋଗ୍ୟ ଘୋଷିତ କରିବା ପାଇଁ ଦାବି କରିଥିଲେ । ଏହାସହିତ ଆବଶ୍ୟକତା ପଡିଲେ ଆପ୍ ଏହି ମାମଲାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଥିଲେ । ରାଘବ ଚଢା, ସନ୍ଦୀପ ପାଠକ ଏବଂ ଅଶୋକ ମିତ୍ତଲ ଶୁକ୍ରବାର ୨୪ ଏପ୍ରିଲରେ ପ୍ରେସ୍ କନଫରେନ୍ସ କରି ଆପ୍ ରୁ ଅଲଗା ହେବା ପାଇଁ ଘୋଷଣା କରିଥିଲେ । ଏମାନଙ୍କ ସହିତ ହରଭଜନ ସିଂହ, ସ୍ବାତି ମାଲିୱାଲ, ବିକ୍ରମ ସାହନୀ ଏବଂ ରାଜିନ୍ଦର ଗୁପ୍ତା ସାମିଲ ରହିଛନ୍ତି । ଏହି ପଦକ୍ଷେପ କେଜରିୱାଲଙ୍କ ପାଇଁ ଏକ ଶକ୍ତ ଧକ୍କା ବୋଲି କୁହାଯାଉଛି, କାରଣ ଏହା ଦ୍ୱାରା ରାଜ୍ୟସଭାରେ ଆପ୍ର ସ୍ଥିତି ଦୁର୍ବଳ ହେବା ସହ ବିଜେପିର ଶକ୍ତି ବଢ଼ିଛି।













