କେଉଁ ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଆକ୍ରମଣ ହେଲା, ତାକୁ ନେଇ ପଶ୍ଚିମବଙ୍ଗ ରାଜନୀତି ଏବେ ସରଗରମ । ନନ୍ଦିଗ୍ରାମ ନିର୍ବାଚନ ପ୍ରଚାର ବେଳେ ଦିଦିଙ୍କ ଉପରେ ଆକ୍ରମଣ ହୋଇଥିଲା ଏବଂ ଗୋଡରେ ଆଘାତ ପାଇବା ଯୋଗୁ ଏବେ ସେ ଏସଏସକେଏମ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ଆଇନଶୃଙ୍ଖଳା ସ୍ଥିତି ଯେପରି ନ ଉପୁଜେ, ସେଥିପାଇଁ ଶାନ୍ତ ଓ ସ୍ଥିର ରହିବାକୁ ନିଜର କର୍ମୀ ତଥା ସମର୍ଥକମାନଙ୍କୁ ଅନୁରୋଧ କରିଛନ୍ତି ମମତା । ତେବେ ମମତାଙ୍କ ଉପରେ ଆକ୍ରମଣ ପାଇଁ ଟିଏମସି ନିର୍ବାଚନ କମିଶନଙ୍କ ଆଡକୁ ଅଙ୍ଗୁଳି ଉଠାଇଛି । ନିର୍ବାଚନ ତାରିଖ ଘୋଷଣା ପରଠୁ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନିର୍ବାଚନ କମିଶନଙ୍କର ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଦେବାରେ କମିଶନ ଫେଲ୍ ହୋଇଛନ୍ତି ବୋଲି ଦଳ କହିଛି । ଏପରିକି ବିଜେପି ନିୟନ୍ତ୍ରଣରେ ସବୁ ଚାଲିଛି ବୋଲି ଆରୋପ ଲଗାଇଛି ଟିଏମସି । ନିର୍ବାଚନ କମିଶନଙ୍କୁ ଘଟଣା ସଂପର୍କରେ ଅବଗତ କରାଇବା ସହ କମିଶନ ବିଜେପି ନେତାଙ୍କ ନିର୍ଦ୍ଦେଶରେ ପରିଚାଳିତ ବୋଲି ଦଳ ଅଭିଯୋଗ କରିଛି । ଗତ 9 ତାରିଖରେ ଡିଜିପିଙ୍କୁ ବଦଳି କରି ନିର୍ବାଚନ କମିଶନ ନୂଆ ଡିଜିପି ନିଯୁକ୍ତ କଲେ, 10 ତାରିଖରେ ଜଣେ ବିଜେପି ନେତା ସୋସିଆଲ ମିଡିଆରେ – ‘ଆପ ସମଝଜାଏଙ୍ଗେ 5ପିଏମ କେ ବାଦ୍ କିୟା ହୋନେ ଓ୍ଲାଲା ହେ’ ବୋଲି ମନ୍ତବ୍ୟ ଦେଲେ । ଆଉ ସଂଧ୍ୟା 6ଟା ପରେ ଦିଦିଙ୍କ ଉପରେ ଆକ୍ରମଣ ହେଲା । ମମତାଙ୍କ ଉପରେ ଆକ୍ରମଣକୁ ବିରୋଧ କରି ବିଭିନ୍ନ ସ୍ଥାନରେ ଦଳୀୟ କର୍ମୀ ଶୋଭାଯାତ୍ରାରେ ବାହାରିଛନ୍ତି । ଅନ୍ୟପକ୍ଷରେ ବିଜେପି ଏହାକୁ ମମତାଙ୍କ ନାଟକ ବୋଲି କହିଛି ।

LEAVE A REPLY

Please enter your comment!
Please enter your name here