ଦିଲ୍ଲୀର ରୋହିଣୀ କୋର୍ଟରେ ଆଜି ସକାଳୁ ଏକ ବିସ୍ଫୋରଣ ଶଦ୍ଦରେ ସ୍ତବ୍ଧ ହୋଇଯାଇଥିଲା ପରିବେଶ । କୋର୍ଟ କାର୍ଯ୍ୟ ଚାଲିଥିବା ବେଳେ କୋର୍ଟ ନମ୍ବର ୧୦୨ରେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ଜଣେ ବ୍ୟକ୍ତି ଗୁରୁତ୍ତର ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣ ନେଇ ଦିଲ୍ଲୀ ଡିସିପି ପ୍ରଣବ ତୟାଲ ଏହି ସୂଚନା ଦେଇଛନ୍ତି । କେଉଁ କାରଣ ପାଇଁ ବିସ୍ଫୋରଣ ଘଟିଲା , କାରଣ ସ୍ପଷ୍ଟ ହୋଇନି ।
ଦିଲ୍ଲୀର ରୋହିଣୀ କୋର୍ଟରେ ଘଟିଥିବା ଏହି ବିସ୍ଫୋରଣ କମ୍ ତୀବ୍ରତା ବିଶିଷ୍ଟ ବୋମା ବିସ୍ଫୋରଣ ଅଟେ ବୋଲି ପୋଲିସ୍ ପକ୍ଷରୁ କୁହାଯାଉଛି । ଏହା ଏକ ପ୍ରକାର କ୍ରୁଡ ବୋମା । ଏହାସହ ପୋଲିସ ଘଟଣାସ୍ଥଳରୁ IED ବିସ୍ଫୋରକ ସାମଗ୍ରୀ ଏବଂ ଟିଫିନ୍ ଭଳି ଜିନିଷ ଜବତ କରିଛି । ଏନଏସଜିକୁ ମଧ୍ୟ ଘଟଣାସ୍ଥଳକୁ ଡକାଯାଇଛି । ଅନ୍ୟପକ୍ଷରେ ଦିଲ୍ଲୀ ପୋଲିସ କମିଶନର ରାକେଶ ଆସ୍ଥାନା ମଧ୍ୟ ରୋହିନୀ କୋର୍ଟ ଅଭିମୁଖେ ବାହାରିଛନ୍ତି । ରୋହିଣୀ କୋର୍ଟର ବାର୍ ଆସୋସିଏସନ୍ ଅନୁସାରେ କୋର୍ଟ ରୁମରେ ବିସ୍ଫୋରଣ ଘଟିଛି । ପୋଲିସ ମଧ୍ୟ ଘଟଣାର ତଦନ୍ତ କରୁଛି।