ବିଧାନସଭା ପରିସରରେ ନମାଜ୍ ପ୍ରକୋଷ୍ଠ ଯୋଗାଇ ଦେବାକୁ ଦାବି କରିଛନ୍ତି ବିଧାୟକ । ଅନେକ ସମୟରେ ବିଧାନସଭା ଚାଲିଥିବା ବେଳେ ନମାଜ ପଢିବା ପାଇଁ ମୁସଲମାନ ବିଧାୟକମାନଙ୍କୁ ବିଧାନସଭା ପରିସର ଛାଡିବାକୁ ପଡୁଥିବାରୁ ବିଧାନସଭା ପରିସରରେ ଏକ ପ୍ରାର୍ଥନା ଗୃହ ଯୋଗାଇ ଦେବାକୁ ଦାବି କରିଛନ୍ତି ବିଧାୟକ ଇରଫାନ ସୋଲାଙ୍କି । ଝାଡଖଣ୍ଡ ବିଧାନସଭା ପରିସରରେ ରାଜ୍ୟ ସରକାର ନମାଜ୍ ପଢିବା ପାଇଁ ଏକ ପ୍ରକୋଷ୍ଠ ମୁସଲିମ ବିଧାୟକମାନଙ୍କୁ ଯୋଗାଇଦେବା ପରେ ଉତ୍ତରପ୍ରଦେଶରେ ସେହିବଳି ଏକ ପ୍ରକୋଷ୍ଠ ଯୋଗାଇ ଦେବାକୁ ଦାବି କରିଛନ୍ତି ସମାଜବାଦୀ ପାର୍ଟି ବିଧାୟକ ଇରଫାନ ସୋଲାଙ୍କି । ସୋଲାଙ୍କି କହିଛନ୍ତି, ସେ ଗତ 15 ବର୍ଷ ହେଲାଣି ବିଧାୟକ ରହିଆସିଛନ୍ତି । ମାତ୍ର ଅନେକ ଥର ବିଧାନସଭା ଚାଲିଥିବା ବେଳେ ସେ ନମାଜ ପଢିବା ପାଇଁ ବିଧାନସଭା ଛାଡିଥାନ୍ତି । ତେଣୁ ବିଧାନସଭା ପରିସରରେ ଏକ ପ୍ରାର୍ଥନା ଗୃହର ଆବଶ୍ୟକ ରହିଛି । ଝାଡଖଣ୍ଡରେ ନମାଜ୍ ପ୍ରକୋଷ୍ଠ ଯୋଗାଇଦେବାକୁ ବିଜେପି ପକ୍ଷରୁ ବିରୋଧ କରାଯାଇତିବା ବେଳେ କଂଗ୍ରେସ ଓ ଜେଏମଏମ ସ୍ବାଗତ କରିଛି । ବିଜେପି ବିଧାୟକମାନେ ଦାବି କରିଛନ୍ତି ଏକ ହନୁମାନ ମନ୍ଦିର ପ୍ରତିଷ୍ଠା କରାଯାଉ ଏବଂ ଅନ୍ୟ ଧର୍ମାବଲମ୍ବୀ ବିଧାୟକମାନଙ୍କ ପାଇଁ ମଧ୍ୟ ପ୍ରାର୍ଥନା ଗୃହ ଯୋଗାଇ ଦିଆଯାଉ ।