ଝାଡଖଣ୍ଡ ଦେବଘରରେ ଅଘଟଣ । ଏଠାରେ ତ୍ରିକୁଟ ପାହାଡ ଶିଖରରେ ଥିବା ରୋପୱେରେ କିଛି ଟ୍ରଲି ମଧ୍ୟରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ଯୋଗୁଁ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ପର୍ଯ୍ୟଟକ ଟ୍ରଲିରେ ଫସିରହିଛନ୍ତି । ଏହି ଅଘଟଣ ରବିବାର ଦ୍ୱିପହର ୩ଟାବେଳେ ଘଟିଛି । ୨୦ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ହେବ ୪୮ ଜଣଙ୍କ ଜୀବନ ବାଜିରେ ଲାଗିଛି । ୪୮ ଜଣଙ୍କ ମଧ୍ୟରୁ ୩ ଜଣ ଶିଶୁ ରହିଛନ୍ତି । ଯେଉଁ ପର୍ଯ୍ୟଟକ ଫସି ରହିଛନ୍ତି ସେମାନେ ବିହାର ଏବଂ କୋଲକାତା, ଝାଡଖଣ୍ଡର । ୨ ହଜାର ଫୁଟ ଉପରେ ଝୁଲି ରହିଥିବା ଏହି ୪୮ ଯାତ୍ରୀଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହୋଇଛି ରେସକ୍ୟୁ ଅପରେସନ । ପ୍ରଥମେ ଏନଡିଆରଏଫ ଟିମ୍ ନିୟୋଜିତ ହୋଇଥିବା ବେଳେ ପରେ ସେନାର ସହାୟତା ନିଆଯାଇଛି।
ରବିବାର ରମ ନବମୀ ଅବସରରେ ରୋପୱେରେ ବୁଲିବା ନିମନ୍ତେ ତ୍ରିକୁଟରେ ବହୁ ଲୋକଙ୍କ ସମାଗମ ହୋଇଥିଲା । ଏହି ସମୟରେ ପାହଡ଼ ଶିଖରରେ ଥିବା ରୋପୱେରେ ଯାନ୍ତ୍ରୀକ ତ୍ରୁଟି ଦେଖାଦେବାରୁ ସବୁଠୁ ଉପରେ ଥିବା ଟ୍ରଲି ୪୦ ଫୁଟ ତଳେ କଚାଡ଼ି ହୋଇଥିଲା । ଟ୍ରଲିରେ ୫ ଯାତ୍ରୀ ଥିବା ବେଳେ ସେମାନେ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ଓ ରୋପୱେ କର୍ମୀ ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି। ଏହି ଦୁର୍ଘଟଣା ଯୋଗୁ ରୋପୱେରେ ଯାଉଥିବା ଆଉ ୨୩ ଟ୍ରଲି ମଝିରେ ଅଟକି ରହିଛି। ସେଥିମଧ୍ୟରୁ ୨ଟି ଟ୍ରଲି ପଥରରେ ପିଟି ହେବାରୁ ବହୁ ଲୋକ ଗୁରୁତର ଆହତ ହୋଇଛନ୍ତି। ୪୮ ଯାତ୍ରୀ ମଝି ଆକାଶରେ ଫସି ରହିଛନ୍ତି । ରାତି ସାରା ପାହଡ଼ ମଝିରେ ଅଟକି ରହିଥିବାରୁ ସେମାନେ ଖୁବ୍ ଭୟଭୀତ ହୋଇପଡ଼ିଛନ୍ତି। ଟ୍ରଲି ନିକଟରେ ବହୁ ରଶି ଥିବା ବେଳେ ହେଲିକପ୍ଟରର ଜୋର ପବନ ଯୋଗୁ ସେମାନଙ୍କୁ ଉଦ୍ଧାର କରିବା ସମ୍ଭବପର ହୋଇପାରୁନି। ହେଲିକପ୍ଟରର ପବନ ଯୋଗୁ ଟ୍ରଲି ସବୁ ଜୋରରେ ହଲିବା ଆରମ୍ଭ କରୁଥିବାରୁ କିପରି ସମସ୍ତ ୪୮ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବ ତାହା ଏବେ ପ୍ରଶ୍ନବାଚୀ ହୋଇ ଛିଡ଼ା ହୋଇଛି।

LEAVE A REPLY

Please enter your comment!
Please enter your name here