ସୀମା ଉଲ୍ଲଂଘନ କଲା ପୋଲିସର ବର୍ବରତା । ଲୋକଙ୍କୁ ସୁରକ୍ଷା ଦେବା ବଦଳରେ ପୋଲିସ ଅତି ଅମାନୁଷିକ ଭାବେ ଜଣେ ଯୁବ ବ୍ୟବସାୟୀଙ୍କୁ ପିଟିବା ଏବଂ ପୋଲିସ ମାଡରେ ଯୁବ ବ୍ୟବସାୟୀ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି ଯୋଗୀ ଆଦିତ୍ୟନାଥଙ୍କ ରାଜ୍ୟ ଉତ୍ତରପ୍ରଦେଶରେ ।
ଗତ ସୋମବାର ଦିନ କାନପୁରର ଜଣେ ପ୍ରପର୍ଟି ଡିଲର ମନୀଷ ଗୁପ୍ତା ବ୍ୟବସାୟିକ କାର୍ଯ୍ୟରେ ଗୋରଖପୁର ଯାଇଥିଲେ । ସେଠାରେ ସେ ଓ ତାଙ୍କ ବନ୍ଧୁ ଏକ ହୋଟେଲରେ ରହିଥିବା ବେଳେ ପୋଲିସ ଅଚାନକ ଚେକିଂ କରିଥିଲା । ଆଇଡି କାର୍ଡ ଯାଞ୍ଚ କରିବା ପରେ ପୋଲିସ ସେମାନଙ୍କୁ ଲଗେଜ୍ ଖୋଲିବାକୁ କହିଥିଲା । ଯୁବ ବ୍ୟବସାୟୀ ମନୀଷ ହୋଟେଲକୁ ଆସିବା ବେଳେ ଯାଞ୍ଚ କରାଯାଇତିବା ନେଇ ପୋଲିସକୁ କହିଥିଲା । ବାସ୍ , ଏତିକିରେ ଗୋରଖପୁର ପୋଲିସର ରକ୍ତ ଗରମ ହୋଇଯାଇଥିଲା । ହୋଟେଲ ରୁମ୍ ବାହାରକୁ ମନୀଷକୁ ନେଇ ଯାଇଥିଲେ ଏବଂ ଅତି ବର୍ବରୋଚିତ ଭାବେ ବନ୍ଧୁକ ବଡ୍ ରେ ପିଟିଥିଲେ । ଫଳରେ ମନୀଷଙ୍କ ନାକରୁ ରକ୍ତ ବୋହିଥିଲା । ପୋଲିସ ମନୀଷଙ୍କୁ ହସପିଟାଲକୁ ପଠାଇ ଦେଇଥିଲା ଏବଂ ସଫେଇ ଦେଇଥିଲା, ସେ ସିଢିରୁ ଖସିପଡିଥିଲା । ମାତ୍ର ହସପିଟାଲରେ ପହଞ୍ଚିବା ବେଳକୁ ମୃତ୍ୟୁବରଣ କରିସାରିଥିଲା । ମନୀଷଙ୍କ ପତ୍ନୀ ଓ ଭଉଣୀ କହିଛନ୍ତି, ମନୀଷଙ୍କ ମୁହଁ ଓ ଦେହର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ରହିଛି । ପୋଲିସ ଏ ସଂପର୍କରେ ପ୍ରଥମେ ଏତଲା ରଖିବାକୁ ମନା କରୁଥିଲା, ମାତ୍ର ପରେ ଏତଲା ରୁଜୁ କରାଯାଇଛି । କିନ୍ତୁ ଘଟଣାର ଚାରିଦିନ ପରେ ବି ଅଭିଯୁକ୍ତ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନି ।
ମନୀଷ ଗୁପ୍ତାଙ୍କ ମୃତ୍ୟୁକୁ ନେଇ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ବିଜେପି ସରକାରକୁ କଟୁ ସମାଲୋଚନା କରିଛନ୍ତି । ଯୋଗୀ ଆଦିତ୍ୟନାଥଙ୍କ ସରକାରରେ ପୋଲିସ ଲୋକଙ୍କ ଜୀବନ ନେଉଛି ବୋଲି ସେ କହିଛନ୍ତି । ମନୀଷ ଗୁପ୍ତାଙ୍କ ପରିବାର ନ୍ୟାୟ ପାଇବାକୁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here