ମୁମ୍ବାଇ : ଏଣିକି ହର୍ଣ୍ଣ ବଜାଇଲେ ମିଳିବ ଦଣ୍ଡ । ଏଭଳି ପଦକ୍ଷେପ ନେଇଛି ମୁମ୍ବାଇ ପୁଲିସ । ମୁମ୍ବାଇ ପୁଲିସ ଟ୍ରାଫିକ ସହ ଜଡିତ ଏକ ଭିଡିଓ ସେୟାର କରିଛି ଯେଉଁଠି ଉଲ୍ଲେଖ କରାଯାଇଛି ହର୍ଣ୍ଣ ମୋର ୱେଟ ମୋର । ମୁମ୍ବାଇ ପୁଲିସର ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି, ଯାହାକୁ କି ଟୁଇଟରରେ ୨୦୩ ମିଲିୟନ ଲୋକେ ଦେଖିସାରିଲେଣି । ଫେସବୁକ୍ , ୱାଟସ୍ଆପ ଗ୍ରୁପ ଏବଂ ଅନ୍ୟ ସୋସିଆଲ ମିଡିଆ ମାଧ୍ୟମରେ ସେୟାର ହେବାରେ ଲାଗିଛି ଏହି ଭିଡିଓ । ଟ୍ରାଫିକ ନିୟମ ଭାଙ୍ଗୁଥିବା ଚାଳକ ମାନଙ୍କର ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଟ୍ରାଫିକ ସିଗନାଲରେ ଏବେ ହର୍ଣ୍ଣ ବଜାଇଲେ ଦଣ୍ଡ ସ୍ୱରୂପ ଅଧିକ ସମୟ ଅପେକ୍ଷା କରିବାକୁ ପଡିବ । ସାଧାରଣତଃ ଟ୍ରାଫିକ ସିଗନାଲରେ ଗାଡି ଅଟକିଥିବା ବେଳେ ଅନେକ ଚାଳକ ମାନେ ବାରମ୍ବାର ହର୍ଣ୍ଣ ବଜାଇଥାନ୍ତି । ବୋଧହୁଏ ଟ୍ରାଫିକ ସିଗନାଲରେ ହର୍ଣ୍ଣ ବଜାଇବା ଦ୍ୱାରା ସେମାନେ ଭାବିଥାନ୍ତି ଗ୍ରୀନ ଲାଇଟ ଶୀଘ୍ର ଆସିଯିବ । କିନ୍ତୁ ଟ୍ରାଫିକ ସିଗନାଲରେ ବିନା କାରଣରେ ହର୍ଣ୍ଣ ବଜାଇବା ଫଳରେ ଶବ୍ଦ ପ୍ରଦୂଷଣ ହୋଇଥାଏ । ହର୍ଣ୍ଣ ଦ୍ୱାରା ଆଖପାଖରେ ଥିବା ଅନ୍ୟ ଗାଡିଚାଳକ ମାନେ ମଧ୍ୟ ସମସ୍ୟାରେ ପଡିଥାନ୍ତି । ମୁମ୍ବାଇ ପୁଲିସ ଦ୍ୱାରା ସେୟାର କରାଯାଇଥିବା ଏହି ଭିଡିଓରେ କୁହାଯାଇଛି ଯେଉଁ ଗାଡି ଚାଳକ ଟ୍ରାଫିକ ସିଗନାଲରେ ଯେତେ ଅଧିକ ହର୍ଣ୍ଣ ବଜାଇବେ ତାଙ୍କୁ ସେତିକି ସମୟ ଅପେକ୍ଷା କରିବାକୁ ପଡିବ । ବିଶ୍ୱରେ ସବୁଠାରୁ ଅଧିକ ଧ୍ୱନି ପ୍ରଦୂଷଣ ହେଉଥିବା ସହର ମଧ୍ୟରେ ମୁମ୍ବାଇ ସହର ଅନ୍ୟତମ । ଟ୍ରାଫିକ ସିଗନାଲରେ ବିନା କାରଣରେ ହର୍ଣ୍ଣ ବଜାଉଥିବା ଗାଡି ଚାଳକ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଇ ମୁମ୍ବାଇ ପୁଲିସ ୧ ମିନିଟ ୫୩ ସେକେଣ୍ଡର ଏକ ଭିଡିଓ ଜାରି କରିଛି । ଏଥିପାଇଁ କିଛି ସିଗନାଲରେ ୮୫ ଡେସିବଲ ମିଟର ଲଗାଯାଇଛି । ସିଗନାଲରେ ଯେତେ ଅଧିକ ହର୍ଣ୍ଣ ବଜାଯିବ ସିଗନାଲ ଗ୍ରୀନ ହେବାକୁ ସେତେ ଅଧିକ ସମୟ ଲାଗିବ ବୋଲି କୁହାଯାଇଛି । ଯଦି ୮୫ଡେସିବଲରୁ ଅଧିକ ହର୍ଣ୍ଣ ବାଜିବ ତେବେ ସିଗନାଲ ଗ୍ରୀନ ଲାଇଟ ଜଳିବା ପାଇଁ ଆହୁରି ଅଧିକ ଦେଢ ମିନିଟ ବଢିଯିବ । ମୁୁମ୍ବାଇ ପୁଲିସର ଏହି ପଦକ୍ଷେପକୁ ସବୁ ମହଲରେ ପ୍ରଂଶସା କରାଯାଉଛି । ଗତ ୨ ବର୍ଷ ମଧ୍ୟରେ ବିନା କାରଣରେ ହର୍ଣ୍ଣ ବଜାଇବାକୁ ନେଇ ୬୦୯ ଟି ମାମଲା ରଜୁୁ ହୋଇଛି ।