ଥରେ ଅଧେ ନୁହେଁ, ତିନିଥର ଜାତୀୟ ଫୁଟବଲ ଦଳରେ ସାମିଲ ହୋଇଥିଲେ । ଜାତୀୟ ରଗବିରେ ମଧ୍ୟ ଅଂଶ ଗ୍ରହଣ କରି ରାଜ୍ୟ ପାଇଁ ଗୌରବ ଆଣିଥିଲେ । ଫୁଟବଲ ପଡିଆରେ ଗୋଲ ପୋଷ୍ଟ ସମ୍ମୁଖରେ ଯେତେବେଳେ ଛିଡା ହେଉଥିଲେ ସେତେବେଳେ ପ୍ରତିପକ୍ଷ ଦଳକୁ ପାଣି ପିଆଇ ଦେଉଥିଲେ । ଏପରିକି ପ୍ରତିପକ୍ଷ ଦଳର ବିଜୟ ଆଶା ମଉଳି ଯାଉଥିଲା । ଦିନେ ଯିଏ ନିଜ ଦଳ ଓ ଦେଶକୁ ବାରମ୍ବାର ବିଜୟ ମୁକୁଟ ପିନ୍ଧାଉଥିଲେ , ସେ ଆଜି ସାମାନ୍ୟ ପେଟ ଚାଖଣ୍ଡକ ପାଇଁ ଜଙ୍ଗଲରେ ଛେଳି ଚରାଉଛନ୍ତି । ଆମେ କହୁଛୁ ଝାରସୁଗୁଡାର ମହିଳା ଖେଳାଳୀ ତନୁଜା ବାଗେଙ୍କ କଥା । ଜାତୀୟ ଫୁଟବଲ ଖେଳରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ରାଜ୍ୟ ତଥା ଝାରସୁଗୁଡା ପାଇଁ ଗୌରବ ଆଣିଥିବା ତନୁଜା ଏବେ ଝାରସୁଗୁଡା ଦେବାଡିହି ଗାଁ ମୁଣ୍ଡ ସରକାରୀ ଜାଗାରେ ଏକ ଛୋଟିଆ ଝୁମ୍ପୁଡି ଘରେ ରହୁଛନ୍ତି । ରୋଜଗାର କହିଲେ ସେ ଜଙ୍ଗଲରେ ଛେଳି ଚରାଉଛନ୍ତି, ଆଉ ସ୍ୱାମୀ ଦିନ ମଜୁରିରୁ ଯାହା ରୋଜଗାର କରୁଛନ୍ତି, ସେତିକିରେ ଚଳିବାକୁ ପଡୁଛି । ପେଟ ପାଇଁ ଅହରହ ସଂଗ୍ରହ କରିବାକୁ ପଡୁଛି ସେମାନଙ୍କୁ । ଏ ବିଷୟରେ ଜିଲ୍ଲାପାଳ କହିଛନ୍ତି ଯେ, ତନୁଜାଙ୍କ ସହ କଥା ହୋଇ ତାଙ୍କୁ ରୋଜଗାର ଦିଆଯିବ ।