ଓଡିଶାରେ ରହିଥିବା ପ୍ରମୁଖ ସାଇ ଆଶ୍ରମ ମଧ୍ୟରୁ ଢେଙ୍କାନାଳର ଦତ୍ତାତ୍ରେୟ ସାଇ ଆଶ୍ରମର ପରିବେଶ ନିଆରା । ପ୍ରାକୃତିକ ପରିବେଶ ଭିତରେ ଗଢି ଉଠିଥିବା ଏହି ସାଇ ଆଶ୍ରମ ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାସ ଚନ୍ଦ୍ରଶେଖରଙ୍କ ମନ୍ଦିର ଠାରୁ ମାତ୍ର ଚାରି କିଲୋମିଟର ଦୂର ବିରାଡିଆ ଗ୍ରାମରେ ଅବସ୍ଥିତ । ୨୦୦୨ ରେ ଏହି ଦତ୍ତାତ୍ରେୟ ସାଇ ଆଶ୍ରମ ପ୍ରତିଷ୍ଠା ହୋଇଥିଲା । ମାତ୍ର ଗତ ଦୁଇ ଦଶନ୍ଧି ଭିତରେ ସାଇ ଆଶ୍ରମ ଏକ ପୂର୍ଣ୍ଣାଙ୍ଗ ଆଶ୍ରମରେ ପରିଣତ ହୋଇପାରିଛି । ଶିରିଡି ଭଳି ଏଠାରେ ମଧ୍ୟ ବାବାଙ୍କ ମୁଖ୍ୟମନ୍ଦିର ବ୍ୟତୀତ ଦ୍ବାରିକାମାୟୀ ରହିଛି । ଯେଉଁଠି ଦିନ ରାତି ଜଳୁଛି ଅଖଣ୍ଡ ଧୂନୀ । ସେହିପରି ଧ୍ୟାନ ମଣ୍ଡପ, ଯଜ୍ଞ ମଣ୍ଡପ, କଳ୍ପବଟ ପ୍ରଭୃତି ରହିଛି । ବିଶ୍ବାସ କରାଯାଏ, ମାନସିକଧାରୀମାନେ ଶ୍ରଦ୍ଧାର ସହ କଳ୍ପବଟରେ ମାନସିକ କଲେ ବାବା ତାହା ପୂରଣ କରିଥାନ୍ତି । ବିଭିନ୍ନ ପର୍ବପର୍ବାଣୀ ଓ ମହୋତ୍ସବରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ । ଏହାକୁ ନଜରରେ ରଖି ଆଶ୍ରମ ପରିସରରେ ଭକ୍ତଙ୍କ ପାଇଁ ରହିଛି ଅତିଥି ଭବନ। ଏଥିରେ ପ୍ରାୟ ଦେଢଶହରୁ ଦୁଇଶହ ଭକ୍ତ ରାତ୍ରିଯାପନ କରିପାରିବେ । ସେହିପରି ପ୍ରସାଦ ସେବନ ପାଇଁ ରହିଛି ଆନନ୍ଦ ବଜାର । ପ୍ରତିଦିନ ଅନ୍ନ, ଡାଲି, ବେସର, ମହୁର, ଖଟା ଓ ଖିରି ଭକ୍ତମାନଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯାଇଥାଏ । ଆଶ୍ରମ ପରିସରରେ ଥିବା ଗୋ-ସଦନରେ ୪୦ ରୁ ଅଧିକ ଗାଇ ରହିଛନ୍ତି ଏବଂ କୃଷି ଫାର୍ମରେ ବିଭିନ୍ନ ପ୍ରକାର ଫଳ ଓ ପନିପରିବା ଚାଷ କରାଯାଉଛି । ଏଥିରୁ ଉତ୍ପାଦିତ ଖିର, ରାବିଡି, ଘିଅ ଏବଂ ପନିପରିବା ପ୍ରଭୃତି ଆଶ୍ରମର ଚାହିଦା ମେଣ୍ଟାଇବା ସହ ସ୍ଥାନୀୟ ବଜାରରେ ବିକ୍ରି କରାଯାଇଥାଏ ।
ଆଶ୍ରମର ସବୁଠୁ ଆକର୍ଷଣୀୟ ଦିଗ ହେଉଛି, ଦତ୍ତାତ୍ରେୟ ସାଇ ଆଶ୍ରମର ନିଆରା ପରିବେଶ । ପ୍ରକୃତିର ଶୋଭାରାଜି, ପକ୍ଷୀଙ୍କ କଳରବ ଭିତରେ ମନ୍ତ୍ରଧ୍ବନୀ ଶ୍ରଦ୍ଧାଳୁଙ୍କୁ ଶାନ୍ତି ପ୍ରଦାନ କରିଥାଏ ।

LEAVE A REPLY

Please enter your comment!
Please enter your name here