ସାରା ଓଡିଶାରେ ପ୍ରବଳ ତାତି ଅନୁଭୂତ ହେଲାଣି । ତାତି ସାଙ୍ଗକୁ ଗୁଳିଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ । ଉତ୍ତରରୁ ପଶ୍ଚିମ ଓଡିଶାରେ ଖରା କଲବଲ କଲାଣି । ମାର୍ଚ୍ଚ ଶେଷସୁଦ୍ଧା ସମ୍ବଲପୁରରେ ତାପମାତ୍ରା ୪୧ ଡିଗ୍ରୀ ଛୁଇଁଲାଣି । ଦିନ ୧୦ଟା ପରେ ଘରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି । ଏହାକୁ ଆଖି ଆଗରେ ରଖି ମହାନଗର ନିଗମ ପକ୍ଷରୁ ଜଳଛତ୍ର ଖୋଲିବା ନେଇ ଟେଣ୍ଡର ସରିଥିବା କମିଶନର କହିଛନ୍ତି । ପାଣି ପିଇବା ପୂର୍ବରୁ ହାତ ସାନିଟାଇଜ୍ କରି ଲୋକେ ପାଣି ପିଇବେ । ଏନେଇ ସ୍ୱତନ୍ତ୍ର ଗାଇଡ୍ ଲାଇନ୍ ପ୍ରସ୍ତୁତ ହୋଇଛି ।
ଆସନ୍ତାକାଲି ଯାଏ ପାଣିପାଗ ବିଭାଗ ପକ୍ଷରୁ ହିଟ୍ ୱେଭ୍ ଜାରି କରାଯାଇଛି । ଗତକାଲି ୧୬ଟି ସହରରେ ପାରଦ ୪୦ ଡିଗ୍ରୀ ଟପିଥିଲା । ବାରିପଦା ସହରରେ ଗତକାଲି ସବୁଠୁ ତାତି ଅନୁଭୂତ ହୋଇଥିଲା । ତାପମାତ୍ରା ୪୪.୬ ଡିଗ୍ରୀ ରେକର୍ଡ କରାଯାଇଥିଲା । ତାଳଚେର, ବୌଦ୍ଧ, ଝାରସୁଗୁଡା, ବଲାଙ୍ଗୀର, ଟିଟିଲାଗଡ, ଅନୁଗୁଳ, ସୋନପୁର, ନୟାଗଡ, ବାଲେଶ୍ୱର, ହୀରାକୁଦ, ସମ୍ବଲପୁର, ଭବାନୀପାଟଣା, ମାଲକାନଗିରି, ସୁନ୍ଦରଗଡ ଏବଂ କଟକରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା ।