ନବଦାସ ହତ୍ୟା ଘଟଣାରେ କ୍ରାଇବ୍ରାଞ୍ଚ ଦାଖଲ କରିଥିବା ପାଞ୍ଚଶହ ପୃଷ୍ଠାର ଚାର୍ଜସିଟରେ ଅଭିଯୁକ୍ତ ଗୋପାଳ ଦାସ ନବଙ୍କୁ ହତ୍ୟା କରିବାକୁ ସମଲେଇ ମନ୍ଦିରରେ ଶପଥ ନେଇଥିବା କଥା ଉଲ୍ଲେଖ ରହିଛି । ସେ ତା ଭାଇ ସତ୍ୟ ନାରାୟଣ ଦାସଙ୍କ ସହ ମନ୍ଦିରକୁ ଯାଇଥିଲା ଏବଂ ଲଣ୍ଡା ହେବା ପରେ ମନ୍ଦିରରେ ନବଙ୍କୁ ହତ୍ୟା କରିବାକୁ ଶପଥ ନେଇଥିଲା । କିନ୍ତୁ ପୋଲିସ ଏଏସଆଇ ଥିବା ଗେପାଳ ଦାସ କଣ ପାଇଁ ନବ ଦାସଙ୍କ ଭଳି ଜଣେ ପ୍ରଭାବଶାଳୀ ରାଜନେତାଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଲା, ଚାର୍ଜସିଟରେ କିଛି ଠୋସ୍ ତଥ୍ୟ ନାହିଁ । ହତ୍ୟା ପଛରେ ଯେଉଁ କାରଣ ଦର୍ଶାଯାଇଛି, ତାହାର ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠାଇଛନ୍ତି ସାଂସଦ ସୁରେଶ ପୂଜାରୀ । କ୍ରାଇମବ୍ରାଞ୍ଚ ଚାର୍ଜସିଟରେ କୁହାଯାଇଛି, ଗୋପାଳ ଟ୍ରାଫିକ ଡ୍ୟୁଟିରେ ଥିବା ବେଳେ ନବ ଦାସଙ୍କ ସମର୍ଥକଙ୍କ ସହ ବଚସା ହୋଇଥିଲା । ତା ପରଠୁ ସେ ନବଙ୍କୁ ହତ୍ୟା କରିବାକୁ ସଂକଳ୍ପ ନେଇଥିଲା । କିନ୍ତୁ ଏହି କାରଣ ପାଇଁ ଗୋପାଳ ନବଙ୍କୁ ହତ୍ୟା କରିବା ପାଇଁ ଶପଥ ନେବା ତଥ୍ୟ ବିଶ୍ବାସଯୋଗ୍ୟ ନୁହେଁ । ସାଂସଦ ସୁରେଶ ପୂଜାରୀ କହିଛନ୍ତି ପ୍ରଥମରୁ ତଦନ୍ତକାରୀ ସଂସ୍ଥା ଗୋପାଳକୁ ନେଇ ତଦନ୍ତ ଆରମ୍ଭ କରିଥିଲେ । ପ୍ରଥମରୁ ହିଁ ତଦନ୍ତକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରାଯାଇଥିଲା । ନବଙ୍କ ପୁଅ ଝିଅ ପ୍ରଥମରୁ ତାଙ୍କ ବାପାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଥିଲେ । ମାତ୍ର କ୍ରାଇମବ୍ରାଞ୍ଚ ତଦନ୍ତରେ କିଛି ନୂଆ ତଥ୍ୟ ନାହିଁ ।

LEAVE A REPLY

Please enter your comment!
Please enter your name here