ଏମିତି କଣ ହେଲା ଯେ, ନିଜ ଦେହରେ ନିଆଁ ଲଗେଇ ଜଳିଗଲେ ବାଦଲ ସାହୁ । ଗତକାଲି ଗଞ୍ଜାମ ଏସପି ଅଫିସ ସାମନାରେ ଘଟିଥିଲା ଏହି ଦୁଃଖଦ ଓ ଅଭାବନୀୟ ଘଟଣା । ରମ୍ଭା ଥାନା ଅନ୍ତର୍ଗତ ବୋରି ଗାଁରେ ରହୁଥିବା ଯୁବକ ବାଦଲ ସାହୁ ବାଇକ ଯୋଗେ ଏସପିଙ୍କ ଅଫିସ ସାମନାରେ ପହଞ୍ଚି ନିଜ ଦେହରେ ପେଟ୍ରୋଲ ଢାଳିଥିଲେ ଏବଂ ନିଆଁ ଲଗେଇ ଦେଇଥିଲେ । ପୋଲିସ କର୍ମଚାରୀ ନିଆଁ ଲିଭାଇବା ବେଳକୁ ତାଙ୍କ ଶରୀରର ଅଧିକାଁଶ ଅଂଶ ଜଳି ଯାଇଥିଲା । ବିଳମ୍ବିତ ରାତିରେ ସେ ଆଖି ବୁଜିଦେଇଥିଲେ । ହେଲେ ଏମିତି ଚରମ ନିଷ୍ପତ୍ତି କାହିଁକି ନେଲେ ବାଦଲ ? ଏମିତି କି ଦୁଃଖ ଥିଲା ଯେ, ଜଣେ ଯୁବକ ଜିଲ୍ଲା ଏସପି ଅଫିସ ସାମନାରେ ନିଆଁ ଲଗେଇ ଜଳିଗଲା । ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି, କୋଉଠି ନା କୋଉଠି ସେ ସରକାର ତଥା ପ୍ରଶାସନ ଉପରେ ଅସନ୍ତୁଷ୍ଟ ଥିଲେ । ନ୍ୟାୟ ପାଇବାରୁ ବଞ୍ଚିତ ଥିଲେ । ହୁଏତ ପୋଲିସ ପାଖକୁ ଧାଇଁ ଧାଇଁ ସେ ନିରାଶ ହେବା ପରେ ଏଭଳି ଚରମ ନିଷ୍ପତ୍ତି ନେଇଥାଇପାରନ୍ତି । ଆମ ସରକାର, ଆମ ବ୍ୟବସ୍ଥା ପ୍ରତି ବାଦଲଙ୍କ ମନରେ ଥିବା ପୁଞ୍ଜିଭୁତ କ୍ରୋଧର ଏହା ପ୍ରତିଫଳନ । ସରକାର, ପ୍ରଶାସନକୁ ଚେତେଇବା ପାଇଁ ବାଦଲ ନିଜ ଦେହରେ ନିଆଁ ଲଗେଇଦେଲେ । ମୁଖ୍ୟମନ୍ତ୍ରୀ ଯଦି ଭାବୁଥାନ୍ତି, ସବୁ ଠିକଠାକ୍ ଚାଲିଛି, ତେବେ ତାହା ସଂପୂର୍ଣ୍ଣ ସତ୍ୟ ନୁହେଁ । ବାଦଲ ଭଳି ଯୁବକ କାହିଁକି ନିଜ ଦେହରେ ନିଆଁ ଲଗେଇଲା, ତାହା ସରକାର ଖୋଜି ବାହାର କରିବାର ଆବଶ୍ୟକ ରହିଛି । ନହେଲେ ଏମିତି ବାଦଲ ଭଳି ଯୁବକମାନେ ବଞ୍ଚି ରହି ଶୋଷିତ, ଲାଞ୍ଛିତ ହେବା ଅପେକ୍ଷା ମୃତ୍ୟୁକୁ ଆଦରି ନେବେ ।

LEAVE A REPLY

Please enter your comment!
Please enter your name here