ଦୂଷିତ ଜଳଯୋଗାଣ ଯୋଗୁ ସୋନପୁର ସହରର ଶତାଧିକ ବ୍ୟକ୍ତି ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟ ଓ ଅନ୍ୟାନ୍ୟ ଡାକ୍ତରଖାନାରେ ରୋଗୀଙ୍କ ଭିଡ଼ ପରିଲକ୍ଷିତ ହେଉଛି। ଡାକ୍ତରଖାନା ବାରଣ୍ଡା ଏବଂ ରାସ୍ତାରେ ରୋଗୀମାନେ ପଡ଼ି ରହିଛନ୍ତି। ଏସବୁ କେବଳ ଜନସ୍ୱାସ୍ଥ୍ୟ ବିଭାଗର ଅବହେଳା ଯୋଗୁ ହୋଇଥିବା ଶୁକ୍ରବାର କଂଗ୍ରେସ ଅଭିଯୋଗ କରିଛି। ପ୍ରଦେଶ କଂଗ୍ରେସ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରିବା ସହ ବିଭାଗୀୟ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ନିରଞ୍ଜନ ପୂଜାରୀଙ୍କ ଇସ୍ତଫା ଦାବି କରାଯାଇଛି।

କଂଗ୍ରେସ ନିଜ ଅଭିଯୋଗରେ ଦର୍ଶାଇଛି ଯେ, ସର୍ବନିମ୍ନ ବିଏସ୍‌ସି ଗ୍ରାଜୁଏଟ୍‌ଙ୍କୁ ରଖିବାର ନିୟମ ଥିବା ବେଳେ ମାଟ୍ରିକ ପାସ୍‌ କରିଥିବା ଲୋକଙ୍କୁ ଡିଏଲ୍‌ଆର/ଏନ୍‌ଏମ୍‌ଆର୍‌ ନିଯୁକ୍ତ କରାଯାଉଛି। ସେମାନଙ୍କ ଦ୍ୱାରା ଜଳ ବିଶୋଧନ ପ୍ଲାଣ୍ଟ କରାଯାଉଛି । ଉତ୍ତମ ଗୁଣମାନର କେମିକାଲ ଯୋଗାଇ ଦିଆଯାଉନାହିଁ । ରାମେଶ୍ୱର ଘାଟରେ ବାଲି ପୋତି ହୋଇ ଯାଇଛି। ଜଳ ନିଷ୍କାସନ ହୋଇପାରୁନାହିଁ । ମହାନଦୀରୁ ସହରକୁ ଜଳ ଯୋଗାଣ ହେଉଥିବା ଜଳ ଦୂଷିତ ହୋଇଯାଇଥିବାରୁ ଏଭଳି ସ୍ଥିତି ଉପୁଜିଥିବା କଂଗ୍ରେସ ଅଭିଯୋଗ କରିଛି । ଏଣୁ ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ଲୋକମାନଙ୍କୁ ପାଇପ୍‌ ଜଳ ବ୍ୟବହାର ନ କରିବାକୁ ପ୍ରଚାର କରାଯିବା ଉଚିତ ବୋଲି ଦଳ କହିଛି ।

 

LEAVE A REPLY

Please enter your comment!
Please enter your name here