କେମିତି ଚାଲିଛି କଲେଜରେ ପାଠପଢା । ଅଧ୍ୟାପକମାନେ ଠିକରେ କଲେଜ ଆସୁଛନ୍ତି ନା ନାହିଁ, ପିଲାମାନେ ପାଠପଢାରେ କେତେ ଖୁସି ଅଛନ୍ତି, ଆସନ୍ତୁ ଯିବା ମାଲକାନଗିରି ଜିଲ୍ଲା ବାଲିମେଳା ମହାବିଦ୍ୟାଳୟ । ମାଲକାନଗିରି ଜିଲ୍ଲାର ପ୍ରଥମ ସ୍ନାତକ କଲେଜ ହେଉଛି ବାଲିମେଳା ମହାବିଦ୍ୟାଳୟ । ୧୯୮୧ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି କଲେଜରେ ଏବେ ୧୫୦୦ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଜିଲ୍ଲାର ଏକମାତ୍ର ସ୍ନାତ୍ତକ କଲେଜରେ ବିଜ୍ଞାନ ଥିବାରୁ ବିଭିନ୍ନ ସ୍ଥାନରୁ ପିଲାମାନେ ପାଠ ପଢିବାକୁ ଆସୁୁଛନ୍ତି । ମାତ୍ର ପାଠ ପଢାଇବାକୁ କଲେଜରେ ଅଧ୍ୟାପକ ନାହାନ୍ତି । ଫିଜିକ୍ସ, ଇକୋନମିକ୍ସ ଓ ଇଂଗ୍ଲିସ ପଢା ବନ୍ଦ ହୋଇଯାଇଛି । ଗତ ଛମାସ ହେଲାଣି ଫିଜିକ୍ସରେ ଦୁଇଟି ଅଧ୍ୟାପକ ପଦବୀ ଖାଲି ରହିଛି । ସେହିପରି ଇକୋନମିକ୍ସରେ ଦୁଇଟି ଓ ଇଂଗ୍ଲିସରେ ଗୋଟିଏ ଅଧ୍ୟାପକ ପଦବୀ ଖାଲି ପଡିଥିବାରୁ ପାଠପଢା ପୁରାପୁରି ଠପ୍ ହୋଇଯାଇଛି । ତେବେ ପ୍ରଶାସନକୁ ବାରମ୍ବାର ଜଣାଇବା ପରେ ତାଙ୍କ କଥା କେହି ଶୁଣୁନାହାନ୍ତି ବୋଲି କହିଛନ୍ତି ଅଧ୍ୟକ୍ଷ । କଟକ ଭୁବନେଶ୍ୱରରେ ଅଧ୍ୟାପକ ମାଳମାଳ । ମାତ୍ର ମାଲକାନଗିରି ଜିଲ୍ଲାରେ ବିନା ଅଧ୍ୟାପକରେ ଚାଲିଛି ଉଚ୍ଚଶିକ୍ଷା । ସରକାର କଣ ଚାହୁଁଛନ୍ତି, ମାଲକାନଗିରି ସବୁଦିନେ ଏମିତି ପଛୁଆ ଜିଲ୍ଲା ହୋଇଥାଉ ।