ଦିନକୁ ଦିନ ବଢୁଥିବା ଚୋରଙ୍କ ପ୍ରାଦୁର୍ଭାବ ଓ ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ତେଜିଛି ଅସନ୍ତୋଷ | ଯାହାକୁ ନେଇ ରାସ୍ତା ଅବରୋଧ କରିଛନ୍ତି ଅଞ୍ଚଳବାସୀ | ଗୋଟିଏ ରାତିରେ ସାତଟି ଦୋକାନର କବାଟତାଡ଼ି ଚୋରି କରିବା ସହିତ ଗୋଟିଏ ବୋଲେରୋ ଚୋରି ହୋଇଥିଲା | ଏନେଇ ପୋଲିସ ସେଭଳି ଆଖିଦୁଶିଆ ପଦକ୍ଷପ ଗ୍ରହଣ ନକରିବା ନେଇ ପ୍ରତିବାଦରେ ଶୁକ୍ରବାର ୨୨୦ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ ଅଞ୍ଚଳବାସୀ | ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନରେ ଥିବା ହାଟବାଦଡା ଫାଣ୍ଡି ଅଞ୍ଚଳରେ ଘଟିଛି ଏହି ଘଟଣା |
ସୂଚନା ଅନୁଯାୟୀ ଗୁରୁବାର ବିଳମ୍ବିତ ରାତିରେ ହାଟବାଦଡା ଫାଣ୍ଡି ଅଧିନରେ ଥିବା ହାଟବାଦଡା ଅଞ୍ଚଳରେ ସାତଟି ଦୋକାନ ଗୃହର ତାଲା ଭାଙ୍ଗିବା ସହ କବାଟତାଡି ଚୋରି ହୋଇଥିବା ଅଭିଯୋଗ ହୋଇଛି | ତା ସହିତ ଏକ ବୋଲେରୋ ଗାଡ଼ି ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଛି | ତେବେ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସାତଟି ଦୋକାନର କବାଟ ଚୋରମାନେ ତାଡ଼ିଥିବା ବେଳେ ତିନୋଟି ଦୋକାନରୁ ଲକ୍ଷାଧିକ ଟଙ୍କା ସହିତ ଦୋକାନ ସାମଗ୍ରୀ ଚୋରିକରି ନେଇ ଯାଇଛନ୍ତି | ସେହିପରି ହାଟବାଦଡା ଅଞ୍ଚଳର ଅନୀଲ ମହାନ୍ତଙ୍କ ଏକ ବୋଲେରୋ ଚୋରି କରି ନେଇ ଯାଇଥିବା ବେଳେ ମକରା ଦେ ଙ୍କ ବୋଲେରୋ ଚୋରି ଉଦ୍ୟମ କରି ବିଫଳ ହୋଇଥିଲେ | ଚୋରମାନେ ଇଲେକ୍ଟ୍ରୋନିକ୍ସ ଦୋକାନ, ଗ୍ରୋସରି ଦୋକାନ, ଲୁଗା ଦୋକାନ, ଫୋଟୋ ଷ୍ଟୁଡିଓ, ପାନ ଦୋକାନ ଓ ଚାହା ଦୋକାନରୁ ଚୋରି କରିଥିବା ଅଭିଯୋଗ ହୋଇଛି | ଏନେଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ ଘଟଣାର ଛାନଭିନ ଆରମ୍ଭ କରିଛି | ଅଞ୍ଚଳରେ ବାରମ୍ବାର ଚୋରି ଘଟଣା ବୃଦ୍ଧି ପାଉଥିବାରୁ ସ୍ଥାନୀୟ ଲୋକେ ପୋଲିସର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ ଯଥାଶୀଘ୍ର ଚୋର ମାନଙ୍କୁ ଠାବ କରିବା ପାଇଁ ଦାବିକରି ହାଟବାଦଡା ଦେଇ ଯାଇଥିବା ୨୨୦ ନଂ ରାଞ୍ଚି ବିଜୟୱାଡା ଜାତୀୟ ରାଜପଥ ଅବରୋଧ କରିଛନ୍ତି | ଫଳରେ ରାଇରଙ୍ଗପୁର କରଞ୍ଜିଆ ଯାତାୟାତ ଠପ୍ ହୋଇଯାଇଛି | ଅନ୍ୟପଟେ ରାସ୍ତା ଅବରୋଧ ଖବରପାଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରି ବୁଝାସୁଝା କରୁଥିବା ଜଣାପଡିଛି | ତେବେ ଚୋର-ପୋଲିସ ଲୁଚକାଳି ଖେଳର ଅବସାନ କେବେ ଘଟୁଛି ଦେଖିବାଜୁ ବାକିରହିଲା |

LEAVE A REPLY

Please enter your comment!
Please enter your name here