ରାଜ୍ୟରେ ଖୁବଶୀଘ୍ର ଏକ ଆଇନ ମହାବିଦ୍ୟାଳୟ ଖୋଲାଯିବ ଏବଂ ଯୁବ ଆଇନଜୀବୀମାନଙ୍କୁ ଅଧିକ ପ୍ରଶିକ୍ଷଣ ଦେବା ପାଇଁ ଏକ ଆଇନ ଏକାଡେମୀ ଖୋଲିବାକୁ ସରକାରଙ୍କ ପ୍ରସ୍ତାବ ରହିଛି ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ନିଖିଳ ଓଡିଶା ଆଇନଜୀବୀ ଆସୋସିଏସନ ପକ୍ଷରୁ ଭୁବନେଶ୍ୱର ପାନ୍ଥନିବାସ ପରିସରରେ ଅନୁଷ୍ଠିତ ରାଜ୍ୟ କାର୍ଯ୍ୟକରିଣୀ ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଜେନା ଏହା କହିଛନ୍ତି । ବୈଠକରେ ରାଜ୍ୟରେ ଆଇନଜୀବୀଙ୍କ ପ୍ରମୁଖ ସମସ୍ୟା ଯଥା ସ୍ୱାସ୍ଥ୍ୟ ବୀମା, ସୁରକ୍ଷା, ପ୍ରଶିକ୍ଷଣ ନେଉଥିବା ଯୁବ ଆଇନଜୀବୀଙ୍କ ପାଇଁ ଅନୁଦାନ ରାଶି ପ୍ରଦାନ ଏବଂ ସର୍ବୋପରି କଟକରେ ଥିବା ଜାତୀୟ ଆଇନ ମହାବିଦ୍ୟାଳୟରେ କିପରି ଅଧିକରୁ ଅଧିକ ଓଡିଶା ପିଲା ସ୍ଥାନ ପାଇବେ, ସେସଂପର୍କରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜାତୀୟ ମହାବିଦ୍ୟାଳୟରେ ୨୫% ସ୍ଥାନ ଓଡିଶା ପିଲାଙ୍କ ପାଇଁ ସଂରକ୍ଷଣ ରଖିବାକୁ ଆଇନଜୀବୀମାନେ ଦାବି କରିଥିଲେ । ଭୁବନେଶ୍ୱରରେ ଆଇନଜୀବୀଙ୍କ ପାଇଁ ଏକ ସ୍ଥାୟୀ ଅତିଥୀ ନିବାସ ନିର୍ମାଣ କରିବାକୁ ଆଇନଜୀବୀମାନେ ଅନୁରୋଧ କରିଥିଲେ । ଏଥିସହିତ ଯୁବ ଆଇନଜୀବୀଙ୍କ ପାଇଁ ଇ ଲାଇବ୍ରେରୀ ବ୍ୟବସ୍ଥା ଏବଂ ଆଇନଜୀବୀ ଏକାଡେମୀ ପ୍ରତିଷ୍ଠା ପାଇଁ ମଧ୍ୟ ନିଖିଳ ଓଡିଶା ଆଇନଜୀବୀ ଆସୋସିଏସନ ପକ୍ଷରୁ ଦାବୀ ରଖାଯାଇଥିଲା । ଆଇନ ମନ୍ତ୍ରୀ ପ୍ରତାପ ଜେନା ତାଙ୍କ ଅଭିଭାଷଣରେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ବିଭାଗ ସର୍ବଦା ଆଇନଜୀବୀଙ୍କ ପାଇଁ ତତ୍ପର ।

LEAVE A REPLY

Please enter your comment!
Please enter your name here