ଲଘୁଚାପ ବର୍ଷା ଛାଡ଼ିବାର ୨ ଦିନ ବିତି ଯାଇଥିଲେ ବି ମହାନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି । ଅପରପକ୍ଷେ ବ୍ରାହ୍ମଣୀ ନଦୀରୁ ଜଳସ୍ତର ହ୍ରାସ ପାଇବାରେ ଲାଗିଛି । ସେହିପରି ରାଜ୍ୟର ଅନ୍ୟ ନଦୀଗୁଡ଼ିକରେ ମଧ୍ୟ ବିପଦ ସଂକେତ ଦେଇ ଜଳ ପ୍ରବାହିତ ହେଉନାହିଁ । ହୀରାକୁଦ ଜଳଭଣ୍ଡାରରୁ କାଲି ପର୍ଯ୍ୟନ୍ତ ୪୬ଟି ଗେଟ ଦେଇ ଜଳ ନିଷ୍କାସନ ହେଉଥିବା ବେଳେ ଆଜି ମଧ୍ୟ ସକାଳ ୭ଟା ପର୍ଯ୍ୟନ୍ତ ଏହା ଜାରି ରହିଛି । ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଟୁଇଟ କରି କହିଛନ୍ତି, ହୀରାକୁଦ ଜଳଭଣ୍ଡାରକୁ ପୂର୍ବାପେକ୍ଷା କମ ଜଳରାଶି ପ୍ରବେଶ କରୁଛି । ଆଶା କରାଯାଉଛି ଏହା ଆହୁରି କମିବ । ମୁଣ୍ଡଳିରେ ୪୬ଟି ଗେଟର ପାଣି ପ୍ରବେଶ କଲାବେଳକୁ ୧୦ ଲକ୍ଷ କ୍ୟୁସେକ ରହିପାରେ । ଏହା ଆସନ୍ତାକାଲି ପୂର୍ବାହ୍ନ ପର୍ଯ୍ୟନ୍ତ ଜାରି ରହିପାରେ ।

ସୂଚନାଯୋଗ୍ୟ ହୀରାକୁଦ ଜଳଭଣ୍ଡାରକୁ ବର୍ତ୍ତମାନ ୮ ଲକ୍ଷ ୨ ହଜାର ୫୯୮ କ୍ୟୁସେକ ଜଳ ପ୍ରବାହିତ ହେଉଥିବା ବେଳେ ଏଥିରୁ ୭ ଲକ୍ଷ ୬୪ ହଜାର ୪୭୯ କ୍ୟୁସେକ ଜଳ ନିଷ୍କାସନ ହେଉଛି । ତେବେ ମହାନଦୀରେ ଲୀନ ହୋଇଥିବା ଅନ୍ୟ ନଦୀଗୁଡ଼ିକ ପାଇଁ ବନ୍ୟା ଜଳ ଅଧିକ ଅସାିଛି । ବେଲଗାଁରେ ୪୧ ହଜାର, ପର୍ଥଲାରେ ୯୯ ହଜାର ୩୪୦, ଖଇରମାଳରେ ୧୦ ଲକ୍ଷ ୧୧ ହଜାର, ବରମୂଳରେ ୮ ଲକ୍ଷ ୯୧ ହଜାର ୨୫୦ ଓ ମୁଣ୍ଡଳିରେ ୯ ଲକ୍ଷ ୭୯ ହଜାର ୭୧୫ କ୍ୟୁସେକ ଜଳ ପ୍ରବାହିତ ହେଉଛି ।

LEAVE A REPLY

Please enter your comment!
Please enter your name here