ଯୌତୁକ ନିର୍ଯାତନା ଓ ହତ୍ୟା ଅଭିଯୋଗରେ ପୋଲିସ ପୁଅ ଯାମିନ ଜେନାଙ୍କୁ ଗିରଫ କରିଛି ପୋଲିସ । ଶ୍ୱଶୁର ଘର ଲୋକଙ୍କ ଏତଲା ଆଧାରରେ ଗିରଫ କରିଛି ପୋଲିସ । ଶନିବାର ଦିନ ନବବିବାହିତା ବନ୍ଦନାଙ୍କ ମୃତ୍ୟୁ ଘଟିଥିଲା । ଶାଶୂଘର ଲୋକେ ବନ୍ଦନାଙ୍କୁ ଯୌତୁକ ପାଇଁ ହତ୍ୟା କରିଛନ୍ତି ବୋଲି ବନ୍ଦନାଙ୍କ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ । ଶାଶୂଘରେ ହିଁ ସବୁଦିନ ପାଇଁ ଶୋଇଯାଇଥିଲେ ବନ୍ଦନା ଜେନା । ଏହି ସମ୍ବେଦନଶୀଳ ଘଟଣା ସମସ୍ତଙ୍କୁ ବ୍ୟଥିତ କରିଦେଉଛି । ବନ୍ଦନାଙ୍କୁ ନ୍ୟାୟ ମିଳୁ ବୋଲି ଏବେ ସମସ୍ତେ ଦାବୀ କରୁଛନ୍ତି । ସବୁଠାରୁ ବଡ କଥା ହେଉଛି ବନ୍ଦନାଙ୍କ ଶଶୁର ତମାଣ୍ଡୋ ଥାନାର ହାବିଲଦାର । ମାତ୍ର ଆଇନର ରକ୍ଷକ ହୋଇ ନିଜ ବୋହୁର ଜୀବନ କେମିତି ନେଇପାରିଲେ । ଗତ ଫେବ୍ରୁଆରୀ ମାସରେ ଭୀମଟାଙ୍ଗୀର ବନ୍ଦନା ଜେନା ତମାଣ୍ଡୋ ଅଞ୍ଚଳର ଜାମିନ ଜେନାଙ୍କୁ ବିବାହ କରିଥିଲେ । ବିବାହର ମାସକ ପରେ ବନ୍ଦନାଙ୍କୁ ଶଶୁୂର ଏବଂ ସ୍ୱାମୀ ନିର୍ଯାତନା ଦେବା ଆରମ୍ଭ କରିଥିଲେ ବୋଲି ବନ୍ଦନାଙ୍କ ମା ଅଭିଯୋଗ କରିଛନ୍ତି । ବିବାହ ପରେ ଶାଶୂଘର ଲୋକ ଅଧିକ ଟଙ୍କା ଦାବି କରୁଥିଲେ ବୋଲି ବନ୍ଦନାଙ୍କ ମା କହିଛନ୍ତି । ଶଶୁରଙ୍କୁ କରୋନା ହେବାରୁ ସେ ମେଡିକାଲରେ ଥିଲେ । ଏହାପରେ ବନ୍ଦନାଙ୍କୁ ବାପଘରେ ରହିବାକୁ ଶାଶୂଘର ଲୋକେ କହିଥିଲେ । ଶଶୁର ଭଲ ହେବା ପରେ ଗତ ଶୁକ୍ରବାର ଶାଶୂଘରକୁ ଫେରିଥିଲେ ବନ୍ଦନା । ଶନିବାର ସକାଳେ ବାପଘର ଲୋକଙ୍କ ସହ କଥା ହୋଇଥିଲେ ବନ୍ଦନା । କିନ୍ତୁ ୧୦ଟା ପରେ ମୋବାଇଲ ଅଫ ହୋଇଯାଇଥିଲା । ପରେ ଶାଶୂଘର ଲୋକେ କହିଥିଲେ ବନ୍ଦନାର ହୋସ୍ ନାହିଁ, ତାକୁ ଆମେ ମେଡିକାଲ ନେଇଯାଉଛୁ । ଆଉ ତାପରେ ବନ୍ଦନାଙ୍କ ମୃତ୍ୟୁ ହୋଇଥିଲା । ତମାଣ୍ଡୋ ଥାନା ହାବିଲଦାର ବିଜୟ ଗୋଚ୍ଛାୟତ ଏବଂ ତାଙ୍କ ପୁଅ ଜାମିନ ଜେନାଙ୍କ ନାଁରେ ସାଂଘାତିକ ହତ୍ୟା ଅଭିଯୋଗ ଆଣି ଥାନାରେ ଏତଲା ଦେଇଛନ୍ତି ବନ୍ଦନାଙ୍କ ପରିବାର ଲୋକ ।
ତେବେ ସବୁଠୁ ବଡ କଥା ହେଲା ଯେତେ ସଚେତନତା ଏବଂ ଆଇନ ତିଆରି କଲେ ବି ଯୌତୁକ ରାକ୍ଷାସ କବଳରୁ ବାହାରି ପାରୁନି ମଣିଷ । ଆଜି ବି ଯୌତୁକ ଜୁଇରେ ଜଳି ଯାଉଛି ବୋହୁର ଜୀବନ । ତେବେ ଏହି ଘଟଣାରେ ପୋଲିସ କି କାର୍ଯ୍ୟାନୁଷ୍ଠାନ ନେଉଛି ତା ଉପରେ ସମସ୍ତଙ୍କ ନଜର ।