କାଲି ଲାଗୁଥିଲା ପୁଣି ସଂପର୍କ ଯୋଡି ହୋଇଯିବ । ମାନବାଧିକାର କର୍ମୀଙ୍କ ବୟାନ ପୁଣି ନୂଆ ଆଶା ସଂଚାର କରିିଥିଲା । ଗତ କିଛି ଦିନ ଧରି ଚାଲିଥିବା ଦୁଇ ଓଲିଉଡ ଯୋଡି ବର୍ଷା ଓ ଅନୁଭବଙ୍କ ବୟାନ ଯୁଦ୍ଧରେ ଅବସାନ ଘଟିବ ବୋଲି ଆଶା କରାଯାଉଥିଲା । ମାତ୍ର ସେମିତି କିଛି ହେଲାନି । ଆଜି ଅନୁଭବଙ୍କ ଟ୍ୱିଟ୍ ପୁଣି ନିଆଁ ଲଗେଇ ଦେଇଛି । ଅନୁଭବଙ୍କ ଆରୋପ ହେଉଛି, ଧୋକ୍କା ଦେଇଛନ୍ତି ମାନବାଧିକାର କର୍ମୀ । ଗଣମାଧ୍ୟମ ଆଗରେ କିଛି ନ କହିବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ସେମାନେ ଭୁଲ୍ କଥା କହିଛନ୍ତି । ତେଣୁ ଆଜି ମାନବାଧିକାର କର୍ମୀ ଅନୁଭବଙ୍କ ଘରକୁ ଯାଇ ନିରାଶ ହୋଇ ଫେରିଛନ୍ତି । ବର୍ଷାଙ୍କ ସହ ଆଲୋଚନା ହୋଇଥିଲେ ବି ଅନୁଭବ ସେମାନଙ୍କୁ ଦେଖା ଦେଇନାହାଁନ୍ତି । ଟ୍ୱିଟ୍ କରି ଅନୁଭବ କହିଛନ୍ତି, ଆଉ ବର୍ଷାଙ୍କ ସହ ଏ ଜନ୍ମରେ ନୁହେଁ, କି କେଉଁ ଜନ୍ମରେ ବି ରହିବେ ନାହିଁ । ଯିଏ ମତେ ଓ ବାପାମାଙ୍କୁ ମାରିବାକୁ ଚାହୁଁଥିଲେ, ତାଙ୍କ ସହ ରହିବା ସମ୍ଭବ ନୁହେଁ । ବର୍ଷା କେବେ ବି ତାଙ୍କୁ ସ୍ୱାମୀ ଭାବେ ମାନି ନାହାଁନ୍ତି । ମାନସିକ ଓ ଶାରିରୀକ ଭାବେ ତାଙ୍କୁ ସ୍ୱାମୀ ଭାବେ ଗ୍ରହଣ କରିନାହାଁନ୍ତି । ମୋର ଓ ତାଙ୍କର ପବ୍ଲିକ ଇମେଜକୁ ସମ୍ମାନ ଦେବା ପାଇଁ ସାତ ବର୍ଷ ହେଲା ଚୁପ୍ ରହିଥିଲି । ପବ୍ଲିକ ଇମେଜକୁ ସମ୍ମାନ ଦେବା ଭୁଲ କି ବୋଲି ପ୍ରଶ୍ନ କରିଛନ୍ତି । ଅନ୍ୟପକ୍ଷରେ ବର୍ଷା ବି ଟ୍ୱିଟ୍ କରି କହିଛନ୍ତି, ମନ୍ଦ ଉଦ୍ଦେଶ୍ୟ ପାଇଁ ଜଣେ ଲୋକମାନଙ୍କୁ ପ୍ରଭାବିତ କରିବା ଉଚିତ ନୁହେଁ । ଆଇନ ତା ବାଟରେ ଯିବ ଏବଂ ଆଇନ ପ୍ରମାଣରେ ବିଶ୍ୱାସ କରେ । ତେଣୁ ସତ୍ୟ ହିଁ ଏକମାତ୍ର ବିକଳ୍ପ ବୋଲି କହିଛନ୍ତି ବର୍ଷା । ଅଦାଲତରେ ମାମଲା ବିଚାରାଧିନ ଥିବା ବେଳେ ଟ୍ୱିଟ୍ କରି ପରସ୍ପରକୁ ଜବାବ ଦେଉଛନ୍ତି ଏହି ଯୋଡି ।