ଦୀର୍ଘ ୧୫ ଘଣ୍ଟା ପରେ ଅନଶନ ଭାଙ୍ଗିଲେ ବିଧାୟକ ସୁକାନ୍ତ ନାୟକ | ନୀଳଗିରି ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଉଛେଦ ପକ୍ରିୟାକୁ ବିରୋଧ କରି ଧାରଣା ଦେଇଥିଲେ ବିଧାୟକ | ରାତି ପ୍ରାୟ ସାଢ଼େ ଏଗାରଟା ବେଳେ ବାଲେଶ୍ୱର ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିଧାୟକଙ୍କ ସହ ଆଲୋଚନା କରିଥିଲେ | ତଦନ୍ତ ପାଇଁ ଜିଲ୍ଲାପାଳ ପ୍ରତିଶୃତି ଦେବା ପରେ ଜୁସ୍‌ ପିଇ ଅନଶନ ଭାଙ୍ଗିଥିଲେ ବିଧାୟକ | ଅନଶନ ଭାଙ୍ଗିବା ପରେ ବିଧାୟକ ଭଙ୍ଗାଯାଇଥିବା ମହରିରଙ୍କ ଚାଳିଆକୁ ବୁଲି ଦେଖିଥିଲେ | ବିଧାୟକ ଶ୍ରୀ ନାୟକ କହିଛନ୍ତି, “ଜିଲ୍ଲା ପ୍ରଶାସନକୁ ସିଦ୍ଧାନ୍ତ ନେବାକୁ ପଡ଼ିବ | ଲୋକଙ୍କ ହିତ ପାଇଁ ମହରିରଙ୍କ ଚାଳିଆ ତିଆରି କରିବାକୁ ପଡ଼ିବ | ଏଠି ତିଆରି ହେଉ ଅବା ଆଉ କେଉଁଠି- ସେମାନେ ଜାଗା ଦେବେ | ସେମାନେ ଏ ନେଇ ଯୋଜନା କରୁଛନ୍ତି | ସେମାନଙ୍କ ନିଷ୍ପତ୍ତିକୁ ଆମର ସମର୍ଥନ ରହିବ | ସୂଚନାଯୋଗ୍ୟ, ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ମହରିରଙ୍କ ଚାଳିଆ ଭଙ୍ଗା ଘଟଣାକୁ ନେଇ ତହସିଲଦାରଙ୍କ ସହ ମୁହାଁ ମୁହିଁ ହୋଇଥିଲେ ବିଧାୟକ | ଏହା ପରେ ବିଧାୟକ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନଶନରେ ବସିଥିଲେ | ତହସିଲଦାର ତାଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ସେ ଅଭିଯୋଗ କରିଥିଲେ | ଅନ୍ୟପକ୍ଷରେ ବିଧାୟକ ପ୍ରଥମେ ତାଙ୍କ ଉପରକୁ ଆଙ୍ଗୁଳି ଉଠାଇଥିଲେ ବୋଲି ତହସିଲ୍‌ଦାର କହିଛନ୍ତି | ଏ ଘଟଣା ନେଇ ନୀଳଗିରି ଥାନାରେ ପୃଥକ୍‌ ପୃଥକ୍‌ ୪ ଟି ମାମଲା ରୁଜୁ ହୋଇଛି |

LEAVE A REPLY

Please enter your comment!
Please enter your name here